ନେପାଳ ବିଭୀଷିକାର ଛାତିଥରା ଚିତ୍ର ଆସୁଛି ପଦାକୁ
ନନ୍ଦିଘୋଷ ବ୍ୟୁରୋ : ନେପାଳ ବିଭୀଷିକାର ଛାତିଥରା ଚିତ୍ର ଆସୁଛି ପଦାକୁ। ଧ୍ବଂସାବେଶେଷ ତଳେ ଥିବା ଲୋକମାନଙ୍କୁ ବାହାର କରିବା ଲାଗି ଚାଲିଛି ମେଗା ରେସ୍କ୍ୟୁ ଅପରେସନ। ବର୍ତ୍ତମାନ ସୁଦ୍ଧା ୭୮୮ ଲୋକଙ୍କ ମୃତଦେହ ମିଳିଥିବା ବେଳେ ଶତାଧିକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ହେଲିକପ୍ଟର ଜରିଆରେ ବିପନ୍ନ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅପର ତ୍ରିଳୂଳୀ ଜଳ ବିଦ୍ୟୁତ ପ୍ରକଳ୍ପ ଟନେଲରେ ୧୦୦ରୁ ଅଧିକ ମୃତ ଆଶଙ୍କା କରାଯାଇଛି।
ଟନେଲରେ ଉଦ୍ଧାର କାର୍ଯ୍ୟ ଲାଗି ଟିମ ପଠାଇଛନ୍ତି ଚୀନ ଓ ଭାରତ। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ରାସୁୱା ଓ ନୂଆକୋଟରେ ଅନେକ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ନେପାଳ ଆର୍ମୀ, ସଶସ୍ତ୍ର ବାହିନୀ, ପୋଲିସର ୮୨ଟି ଟିମ ନିୟୋଜିତ ଅଛନ୍ତି। ଚିହ୍ନଟ ମୃତଦେହଗୁଡିକୁ ପରିବାରଙ୍କୁ ହସ୍ତାନ୍ତର କରାଯାଉଥିବାବେଳେ ଅଚିହ୍ନା ଶବଗୁଡିକର ସତ୍କାର କରାଯାଉଛି।
ତେବେ ସେମାନଙ୍କର ଡିଏନଏ ସଂଗ୍ରହ କରି ରଖାଯାଉଛି। ରିଲିଫ ଶିବିରରେ ପହଞ୍ଚି ମୃତ ବ୍ୟକ୍ତିମାନଙ୍କ ଫଟୋ ଦେଖି ଚିହ୍ନିବାରେ ଲାଗିଛନ୍ତି ଶୋକାକୁଳ ଜନତା। ପଞ୍ଚମ ଦିନରେ ଜାରି ରହିଛି ରେସ୍କ୍ୟୁ ଅପରେସନ। ବର୍ତ୍ତମାନ ସୁଦ୍ଧା ୧୦୮ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨୭୫ ଭାରତୀୟ ନିଖୋଜ ରହିଛନ୍ତି। ସେହିପରି ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ ୧୨୮ ନିଖୋଜ ଥିବା କହିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଚୀନ ପଟେ ୯୦୦ ଭାରତୀୟ ସୁରକ୍ଷିତ ଥିବା କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।