ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

Sep 08, 2026 - 12:51
ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ ମାନହାନି ମାମଲା ଦାୟର ହୋଇଛି। ଏକ ଏଭିଏସନ କମ୍ପାନୀ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।

କମ୍ପାନୀର ଅଭିଯୋଗ ଅନୁସାରେ, ନୋରା ତାଙ୍କ ଚାର୍ଟାର୍ଡ ବିମାନକୁ ନେଇ ସୋସିଆଲ ମିଡିଆରେ ଏପରି କିଛି ମନ୍ତବ୍ୟ କରିଥିଲେ, ଯାହାକୁ କମ୍ପାନୀ ଅପମାନଜନକ, ଦାୟିତ୍ୱହୀନ ଏବଂ ତଥ୍ୟ ଯାଞ୍ଚ ନକରି କରାଯାଇଥିବା ମନ୍ତବ୍ୟ ବୋଲି ଦାବି କରିଛି। ଏହି ମାମଲାର ଶୁଣାଣି ସିନିୟର ସିଭିଲ ଜଜ ଆର୍‌. ଅଗ୍ରୱାଲଙ୍କ ଅଦାଲତରେ ସେପ୍ଟେମ୍ବର ୨୫ରେ ହେବାକୁ ଥିବା ସୂଚନା ମିଳିଛି।

ମାମଲାଟି ଗତବର୍ଷ ଡିସେମ୍ବର ମାସର ଘଟଣା ସହ ଜଡିତ ବୋଲି ଦାବି କରାଯାଇଛି। ଦାଖଲ ହୋଇଥିବା ମାମଲା ଅନୁସାରେ, ନୋରା ଫତେହି ମୁମ୍ବାଇରୁ ଜୟପୁର ଯାତ୍ରା ସମୟରେ ଏଭିଏସନ କମ୍ପାନୀର Cessna Citation CJ2 ବିମାନରେ ଯାତ୍ରା କରିଥିଲେ।

ଏହି ଯାତ୍ରା ସମୟରେ ଅଭିନେତ୍ରୀ ବିମାନ ଭିତରେ କିଛି ଭିଡିଓ ରେକର୍ଡ କରିଥିଲେ। କମ୍ପାନୀର ଦାବି ଅନୁସାରେ, ଏହି ଭିଡିଓରେ ନୋରା ବିମାନର ଆକାର ଓ ଲୁକ୍‌କୁ ନେଇ କଥା କହିବା ସମୟରେ ‘Miniature’, ‘Toy’ ଏବଂ ‘Lego Airplane’ ଭଳି ଶବ୍ଦ ବ୍ୟବହାର କରିଥିଲେ।
ପରେ ନୋରା ଏହି ଭିଡିଓଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ତାଙ୍କର ବହୁ ସଂଖ୍ୟକ ଫଲୋଅର୍‌ ଥିବାରୁ ଏହି ମନ୍ତବ୍ୟର ପ୍ରଭାବ ବ୍ୟାପକ ହୋଇଥିବା କମ୍ପାନୀ ଦାବି କରିଛି।

ଏଭିଏସନ କମ୍ପାନୀ ଅଦାଲତରେ ଦାଖଲ କରିଥିବା ଯାଚିକାରେ ଦାବି କରିଛି ଯେ, ନୋରାଙ୍କ ସୋସିଆଲ ମିଡିଆ ପୋଷ୍ଟ ଯୋଗୁ କମ୍ପାନୀର ବ୍ୟବସାୟ ପ୍ରଭାବିତ ହୋଇଛି। କମ୍ପାନୀ ଅନୁସାରେ, ମନ୍ତବ୍ୟ ପରେ ବୁକିଂରେ ପ୍ରାୟ ୧୫ରୁ ୨୦ ପ୍ରତିଶତ ହ୍ରାସ ଘଟିଥିଲା। ଏପରିକି କିଛି ବୁକିଂ ବାତିଲ ହୋଇଥିବା ମଧ୍ୟ କମ୍ପାନୀ ପକ୍ଷରୁ ଦାବି କରାଯାଇଛି।
କମ୍ପାନୀ ନିଜର ବର୍ଷ ବର୍ଷରେ ଗଢ଼ି ଉଠିଥିବା ଗୁଡୱିଲ ଏବଂ ପ୍ରତିଷ୍ଠା କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଦାବି କରିଛି। ନୋରାଙ୍କ ମନ୍ତବ୍ୟ କୌଣସି ପ୍ରାଯୁକ୍ତିକ ତଥ୍ୟ, ଯାଞ୍ଚ କିମ୍ବା ତଥ୍ୟର ପୁଷ୍ଟି ବିନା କରାଯାଇଥିବା ବୋଲି ଯାଚିକାରେ କୁହାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।