ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଟିମ୍ଇଣ୍ଡିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍କା: ବାଦ୍ ପଡ଼ିବେ…
ନୂଆଦିଲ୍ଲୀ,୧୬।୧୦: ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଅକ୍ଟୋବର ୨୨ରୁ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ସହ ଆରମ୍ଭ ହେବ। ତେବେ ଆଗାମୀ ଦିନିକିଆ ବିଶ୍ୱକପ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (WTC) ଫାଇନାଲ ଦୌଡ଼କୁ ଦୃଷ୍ଟିରେ ରଖି ଦିନିକିଆ ଓ ଟେଷ୍ଟ ସିରିଜ ଉପରେ ଅଧିକ ଗୁରୁତ୍ୱ ରହିବ। ଏହି ଗସ୍ତରେ ଭାରତୀୟ ଦଳର ଷ୍ଟାର୍ ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଟେଷ୍ଟ ସିରିଜ ପୂର୍ବରୁ ତାଙ୍କୁ ବିଶ୍ରାମ ଦେବା ଉଦ୍ଦେଶ୍ୟରେ ଦିନିକିଆ ସିରିଜ୍ରୁ ବାଦ ଦିଆଯାଇପାରେ। ଗତ କିଛି ଗସ୍ତରେ ବୁମ୍ରାଙ୍କ ଅନୁପସ୍ଥିତି ଭାରତୀୟ ବୋଲିଂ ଆକ୍ରମଣ ଉପରେ ପ୍ରଭାବ ପକାଉଥିବା ଦେଖାଯାଇଛି। ତେଣୁ ଏହି ଷ୍ଟାର୍ ପେସରଙ୍କୁ ଯୋଜନାବଦ୍ଧ ଭାବେ ଖେଳାଯାଉଛି ଏବଂ ତାଙ୍କ କାର୍ଯ୍ୟଭାର ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ବୁମ୍ରା ଖେଳିବେ ନାହିଁ। ଟେଷ୍ଟ ସିରିଜ ପୂର୍ବରୁ ତାଙ୍କୁ ବିଶ୍ରାମ ଦେବାକୁ ଚୟନକର୍ତ୍ତାମାନେ ଚାହୁଁଥିବା ରିପୋର୍ଟରେ କୁହାଯାଇଛି।
ସୂଚନାଯୋଗ୍ୟ, ବୁମ୍ରା ସମ୍ପୂର୍ଣ୍ଣ ଫିଟ ଅଛନ୍ତି। କିନ୍ତୁ ଲମ୍ବା ଗସ୍ତ ପାଇଁ କେଉଁ ଫର୍ମାଟକୁ ପ୍ରାଥମିକତା ଦିଆଯିବ, ତାହା ନିର୍ଦ୍ଧାରଣ କରିବା ଜରୁରୀ। ଟେଷ୍ଟ ସିରିଜ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଦିନିକିଆରେ ତାଙ୍କୁ ଅଧିକ ଚାପ ଦେଇ ପରେ ହଠାତ୍ ଟେଷ୍ଟ କ୍ରିକେଟ ପାଇଁ ପ୍ରସ୍ତୁତ ହେବାକୁ କହିବା ଠିକ ହେବ ନାହିଁ। ବୁମ୍ରାଙ୍କୁ ବିଶ୍ରାମ ଦେବାର ଯୋଜନା କେବଳ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ସୀମିତ ନୁହେଁ। ଆଗାମୀ ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ମଧ୍ୟ ଦଳ ପକ୍ଷରୁ ଯୋଜନା ଚାଲିଥିବା କୁହାଯାଉଛି।
ତୁଳନାତ୍ମକ ଭାବେ କମ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ୍ରେ ବୁମ୍ରାଙ୍କୁ ଖେଳାଇ ଅତିରିକ୍ତ ଚାପ ଦେବା ପରିବର୍ତ୍ତେ ତାଙ୍କୁ ବଡ଼ ଟେଷ୍ଟ ମୁକାବିଲା ପାଇଁ ସତେଜ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ଦଳର ପ୍ରାଥମିକ ଲକ୍ଷ୍ୟ WTC ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବା ଏବଂ ସେଥିପାଇଁ ବୋଲରଙ୍କ ଫିଟ୍ନେସ୍ ଓ କାର୍ଯ୍ୟଭାର ପରିଚାଳନା ଗୁରୁତ୍ୱପୂର୍ଣ୍ଣ ହେବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।