ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ଦଳରୁ ବାଦ ପଡ଼ିଲେ ଏହି ଖେଳାଳି!

Oct 28, 2026 - 20:09
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ଦଳରୁ ବାଦ ପଡ଼ିଲେ ଏହି ଖେଳାଳି!

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହା ପରେ ନଭେମ୍ବର ୪ ତାରିଖରୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ। କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆର ଚିନ୍ତା ବଢ଼ିଥିବା ଦେଖାଯାଉଛି। ଦଳର ଷ୍ଟାର୍‌ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଏହି ସିରିଜ୍‌ରୁ ବାଦ୍‌ ପଡ଼ିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି। ବିସିସିଆଇ ଦଳ ଘୋଷଣା କରିବା ସମୟରେ ପ୍ରସିଦ୍ଧଙ୍କ ଖେଳିବା ତାଙ୍କ ଫିଟ୍‌ନେସ ଉପରେ ନିର୍ଭର କରିବ ବୋଲି ସ୍ପଷ୍ଟ କରିଥିଲା।

ହାମ୍‌ଷ୍ଟ୍ରିଙ୍ଗ ଆଘାତରୁ ସୁସ୍ଥ ହେଉଥିବା ପ୍ରସିଦ୍ଧଙ୍କୁ ନେଇ ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ଏକ ରିପୋର୍ଟରେ କୁହାଯାଇଛି ଯେ ସେ ପୂରା ଦିନିକିଆ ସିରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ପ୍ରଥମ ୩ଟି ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ହେଲେ ଏବେ ସେ ପୂରା ସିରିଜରେ ଖେଳିପାରିବେ ନାହିଁ ବୋଲି ରିପୋର୍ଟରେ ଦାବି କରାଯାଇଛି।

ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ସୂତ୍ର କହିଛନ୍ତି, ପ୍ରସିଦ୍ଧ ଭଲ ଭାବେ ସୁସ୍ଥ ହେଉଛନ୍ତି। ନଭେମ୍ବର ୧ ଓ ୨ ତାରିଖରେ ବେଙ୍ଗାଲୁରୁସ୍ଥିତ ‘ସେଣ୍ଟର ଅଫ ଏକ୍ସଲେନ୍ସ’ରେ ତାଙ୍କର ମ୍ୟାଚ ସିମୁଲେସନ (ମ୍ୟାଚ ଭଳି ପରିସ୍ଥିତି ସୃଷ୍ଟି କରି ଅଭ୍ୟାସ) ଏବଂ ଫିଟ୍ନେସ ପରୀକ୍ଷା କରାଯିବ।

ସୂତ୍ର ଆହୁରି କହିଛନ୍ତି, ଦଳର ମ୍ୟାନେଜମେଣ୍ଟ ଓ ଜାତୀୟ ଚୟନ କମିଟି ଚାହୁଁଛନ୍ତି ଯେ ପ୍ରସିଦ୍ଧ ଟେଷ୍ଟ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ଫିଟ ରୁହନ୍ତୁ। କାରଣ ଦିନିକିଆ ତୁଳନାରେ ଟେଷ୍ଟ କ୍ରିକେଟରେ ତାଙ୍କର ଅଧିକ ଆବଶ୍ୟକତା ରହିଛି।

ପ୍ରସିଦ୍ଧ କୃଷ୍ଣାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ, ଏବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଦୌଡ଼ରେ ଆକିବ ନବିଙ୍କ ନାମ ସାମ୍ନାକୁ ଆସୁଛି। ଆକିବ ଦିନିକିଆ ସିରିଜରେ ଶେଷ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳର ଅଂଶ ଅଛନ୍ତି।

ନିକଟରେ ଜମ୍ମୁ-କଶ୍ମୀରର ଏହି ବୋଲର ନ୍ୟୁଜିଲାଣ୍ଡ-ଏ ବିପକ୍ଷ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚରେ ଇଣ୍ଡିଆ-ଏ ପକ୍ଷରୁ ଖେଳୁଥିବା ନଜର ଆସିଥିଲେ। ପ୍ରଥମ ମ୍ୟାଚରେ ସେ ମୋଟ ୬ଟି ଉଇକେଟ୍‌ ନେଇଥିଲେ। ଉଭୟ ଇନିଂସରେ ୩ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ତେଣୁ ପ୍ରସିଦ୍ଧଙ୍କ ସ୍ଥାନରେ ଆକିବଙ୍କୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି।

ତେବେ ଏଠାରେ ଧ୍ୟାନ ଦେବା କଥା ହେଉଛି, ପ୍ରସିଦ୍ଧ କୃଷ୍ଣା ସିରିଜରୁ ବାଦ ପଡ଼ିଥିବା ନେଇ ବିସିସିଆଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହିଁ। ତେଣୁ ଭାରତୀୟ ବୋଲରଙ୍କୁ ନେଇ ଶେଷ ନିଷ୍ପତ୍ତି କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।