ନୟାପଲ୍ଲୀରେ ଭୟଙ୍କର ଦୁର୍ଘଟଣା…
ଭୁବନେଶ୍ବର: ରାଜଧାନୀରେ ହିଟ ଆଣ୍ଡ ରନ୍ । ୨ ଜଣଙ୍କ ଉପରେ ଚଢ଼ିଗଲା ବସ୍ । ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ । ସକାଳୁ ସକାଳୁ ରାଜଧାନୀର ସିଆରପି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ବସ୍ ଦୁର୍ଘଟଣା ଘଟିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, କାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ରୁଜି ଚୁନା ହୋଇଯାଇଛି । ମୃତକଙ୍କ ଉପରେ ଗାଡି ମାଡିଯିବା ସହ ତାଙ୍କୁ ଅନେକ ବାଟ ଯାଏଁ ଘୋଷାଡି ନେଇଯାଇଥିଲା । ଫଳରେ ମୃତକଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଥିଲା । ଖବର ପାଇଁ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ଜଣେ ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ସିସିଟିଭି ଆଧାରରେ ଚାଲିଛି ତଦନ୍ତ । ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ବରଗଡ଼ ଜିଲ୍ଲାର ୨୪ ବର୍ଷିୟା ଗୀତାଞ୍ଜଳି ରଣା ଓ ନୟାଗଡ଼ର ୪୧ ବର୍ଷିୟା ଝୁନା ମଣ୍ଡଳ। ସେହିପରି ଗୁରୁତର ଆହତ ହୋଇଛନ୍ତି ୪୫ ବର୍ଷୀୟ ପ୍ରଦୀପ ଜେନା ଓ ବରଗଡ଼ର ୨୬ ବର୍ଷିୟା ସୁନିତା ମେହର। ସେପଟେ ଦୁର୍ଘଟଣା ଘଟାଇ ଖଣ୍ଡଗିରି ଥାନାରେ ଅଟକିଲା ଡଲଫିନ୍ ବସ୍ । କୋଲକାତାରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ଘଟାଇଥିଲା ଡଲଫିନ୍ ବସ୍ । ଦୁର୍ଘଟଣା ପରେ ବସ୍ଟିକୁ ଖଣ୍ଡଗିରି ଥାନାରେ ଅଟକ ରଖାଯାଇଛି । ବସ୍ ଡ୍ରାଇଭର ନୁସାଦ ଅଲିଙ୍କୁ କାବୁ କରିଛି ନୟାପଲ୍ଲୀ ଥାନା ପୋଲିସ । ତାଙ୍କୁ ନୟାପଲ୍ଲୀ ଥାନାରେ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।