ପରିଣୀତିଙ୍କର ଭଲ ବନ୍ଧୁଥିଲେ ସୁଶାନ୍ତ
ପରିଣୀତି ଚୋପ୍ରା ତାଙ୍କର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ଜଡିତ ୨୦୧୩ ମସିହାର ଚଳଚ୍ଚିତ୍ର 'ଶୁଦ୍ଧ ଦେଶୀ ରୋମାନ୍ସ' ସୁଟିଂ ସମୟର ଏକ ସ୍ମୃତିକୁ ନିକଟରେ ମନେ ପକାଇଛନ୍ତି । ଯେଉଁଥିରେ ସେ ସୁଶାନ୍ତଙ୍କୁ ଜଣେ ପ୍ରକୃତ ବନ୍ଧୁ ତଥା ତାଙ୍କର ସବୁଠୁ ବଡ଼ ପ୍ରୋତ୍ସାହକ ବୋଲି ବର୍ଣ୍ଣନା କରିଛନ୍ତି । ଏକ ସାକ୍ଷାତକାରରେ ପରିଣୀତି ପ୍ରକାଶ କରିଛନ୍ତି ଯେ, ସୁଟିଂ ସେଟ୍ରେ ଛୁଟିଦିନେ ହୋଟେଲର ସ୍ୱିମିଂ ପୁଲ୍ ପାଖରେ ବସିଥିବା ବେଳେ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ଇଶକ୍ଜାଦେ' ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ସମ୍ପର୍କରେ ଖବର ଆସିଥିଲା। ଏହି ଖବର ପାଇବା ପରେ ସୁଶାନ୍ତ ଅତ୍ୟନ୍ତ ଆନନ୍ଦିତ ହୋଇ ପୁଲ୍ ଡେକ୍ର ଚେୟାର୍ ଉପରେ ଚଢ଼ିଯାଇ "ମୁଁ ଜଣେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀଙ୍କ ସହ କାମ କରୁଛି" ବୋଲି ଉଚ୍ଚସ୍ୱରରେ ପାଟିକରି ଖୁସି ମନାଇଥିଲେ। ଯାହା ପରିଣୀତିଙ୍କୁ ଖୁବ ଭଲ ଲାଗିବା ସହିତ ସୁଶାନ୍ତଙ୍କ ପାଇଁ ସମ୍ମାନ ବଢାଇ ଦେଇଥିଲା । ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ପରିଣୀତି ଜଣେ ବ୍ୟାଙ୍କର୍ ଏବଂ ସୁଶାନ୍ତ ଇଞ୍ଜିନିୟରିଂ ଛାତ୍ର ହୋଇଥିବାରୁ, ସେମାନେ ସୁଟିଂ ସମୟରେ ସିନେମା ବ୍ୟତୀତ ଅର୍ଥନୀତି, ବିଜ୍ଞାନ ଓ ଷ୍ଟାରମାନଙ୍କ ବିଷୟରେ ମଧ୍ୟ ବହୁତ ଆଲୋଚନା କରୁଥିଲେ । ସେହିଭଳି ଭବିଷ୍ୟତରେ ହୋମି ଆଡାଜାନିଆଙ୍କ ନିର୍ଦ୍ଦେଶନାରେ ଏକାଠି ଅନ୍ୟ ଏକ ଚଳଚ୍ଚିତ୍ର କରିବାର ଯୋଜନା ରହିଥିଲା । ହେଲେ ତାହା କୌଣସି କାରଣରୁ ସମ୍ଭବ ହୋଇପାରି ନଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।