ପର୍ବତାରୋହୀ ତଥା ସଫ୍ଟୱେୟର୍ ଇଞ୍ଜିନିୟର ଜଗନ୍ନାଥ ମହାନ୍ତଙ୍କରକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ
ପାଟଣା:କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ପଞ୍ଚାୟତର ନୂଆଗାଁ ଗ୍ରାମର ଯୁବ ପ୍ରତିଭା, ରେକର୍ଡଧାରୀ ପର୍ବତାରୋହୀ ତଥା ସଫ୍ଟୱେୟର୍ ଇଞ୍ଜିନିୟର ଜଗନ୍ନାଥ ମହାନ୍ତଙ୍କର ଗତ କାଲି ଅପରାହ୍ନରେ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ଏନେଇ କେନ୍ଦୁଝର ଜିଲ୍ଲାରେ ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସେ ଅବସର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଶ୍ୟାମସୁନ୍ଦର ମହାନ୍ତ ଓ ଶୈଳେନ୍ଦ୍ରୀ ମହାନ୍ତଙ୍କ ଏକମାତ୍ର ପୁତ୍ର ଥିଲେ। ଭୁବନେଶ୍ୱର ସ୍ଥିତ ୱିପ୍ରୋ କମ୍ପାନୀରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଜଗନ୍ନାଥ ଗୁରୁବାର ଅପରାହ୍ଣରେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ୨ଶହ ଫୁଟିଆ ବାଇପାସ ରାସ୍ତାରେ ଅଚାନକ ଏକ ଷଣ୍ଢ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିବାରୁ ତା’ ସହ ଜଗନ୍ନାଥ ଙ୍କ ବାଇକର ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଜଗନ୍ନାଥଙ୍କୁ ଉଦ୍ଧାର କରି ନିକଟସ୍ଥ ଘରୋଇ ଉତ୍କଳ ହସ୍ପିଟାଲ୍କୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପିଲାଦିନରୁ ଜୀବନରେ କିଛି ଭିନ୍ନ ଓ ଦୁଃସାହସିକ କାର୍ଯ୍ୟ କରିବାର ନିଶା ଜଗନ୍ନାଥଙ୍କୁ ଜଣେ ସଫଳ ପର୍ବତାରୋହୀ ଭାବେ ଗଢ଼ି ତୋଳିଥିଲା। ୨୦୨୧ରେ ଭାରତୀୟ ଦୁଃସାହସିକ ସଂସ୍ଥାନ (ଆଇ ଏ ଏଫ୍) ପକ୍ଷରୁ ସର୍ବଭାରତୀୟ ସ୍ତରର ୩୦ ଜଣଙ୍କୁ ନେଇ ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ଗଡ଼ୱାଲ ହିମାଳୟର ଗୋବିନ୍ଦ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ କେଦାରକଣ୍ଠ ଠାରେ ଜାତୀୟ ପର୍ବତାରୋହଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ୨୦୨୧ ଡିସେମ୍ବର ୩୦ରୁ ୨୦୨୨ ଜାନୁଆରି ୪ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ଜାନୁଆରି ୩ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ସେ ୧୨,୫୦୦ ଫୁଟ ଉଚ୍ଚ କେଦାରକଣ୍ଠ ପର୍ବତ ଶୃଙ୍ଗର ଶୀର୍ଷରେ ପହଞ୍ଚିଥିଲେ। ସେଠାରେ ବିଯୁକ୍ତ ୧୬ ଡିଗ୍ରି ସେଲସିୟସ୍ ପ୍ରତିକୂଳ ତାପମାତ୍ରାରେ ଓଡ଼ିଶାର ଏକମାତ୍ର ବ୍ୟକ୍ତି ଭାବେ ସେ ୨୮୦ ଫୁଟ ଲମ୍ବର ତ୍ରିରଙ୍ଗା ଜାତୀୟ ପତାକା ଉଡ଼ାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିଲେ। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ ସେ ନବମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କ ନାମ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍, ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ ଏବଂ ୟୁନିଭର୍ସାଲ ବୁକ୍ ଅଫ୍ ରେକର୍ଡସ ରେ ସ୍ଥାନ ପାଇଥିଲା। ଆଗକୁ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ “କିଲିମଞ୍ଜାରୋ” ଆରୋହଣ କରିବା ପାଇଁ ତାଙ୍କର ସ୍ୱପ୍ନ ବିଧିର ବିଧାନ ଆଗରେ ଅଧୁରା ରହିଗଲା। ଜଗନ୍ନାଥ ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟରେ ପାଠ ପଢ଼ିବା ଦିନ ଠାରୁ ତାଙ୍କ ପ୍ରତିଭା ସମଗ୍ର ଜିଲ୍ଲା ବାସୀଙ୍କୁ ଆକର୍ଷିତ କରିଥିଲା। ତାଙ୍କ ବିୟୋଗରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ବାଇଁ, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ମହାନ୍ତ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।