ପାଇଲଟ୍‌ଙ୍କ ହାଇଜାକ୍ ଏସ୍‌ଓଏସ୍‌ ପରେ ଏୟାର ଇଣ୍ଡିଆର ଫ୍ରାଙ୍କଫର୍ଟ–ଦିଲ୍ଲୀ ବିମାନ ଜୟପୁରକୁ ଡାଇଭର୍ଟ

Oct 14, 2026 - 13:58
ପାଇଲଟ୍‌ଙ୍କ ହାଇଜାକ୍ ଏସ୍‌ଓଏସ୍‌ ପରେ ଏୟାର ଇଣ୍ଡିଆର ଫ୍ରାଙ୍କଫର୍ଟ–ଦିଲ୍ଲୀ ବିମାନ ଜୟପୁରକୁ ଡାଇଭର୍ଟ

ନୂଆଦିଲ୍ଲୀ : ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନକୁ ପାଇଲଟ୍‌ଙ୍କ ପକ୍ଷରୁ ସମ୍ଭାବ୍ୟ ବିମାନ ଅପହରଣ ସମ୍ପର୍କିତ ସତର୍କ ସଙ୍କେତ ଦିଆଯିବା ପରେ ଜୟପୁରକୁ ଡାଇଭର୍ଟ କରାଯାଇଛି। ପାଇଲଟ୍‌ ସ୍କ୍ବାକ୍‌ ୭୫୦୦ କୋଡ୍‌ ସକ୍ରିୟ କରିଥିବା ଜଣାପଡ଼ିଛି। ଏହି କୋଡ୍‌ ମାଧ୍ୟମରେ ବିମାନ ଅପହରଣ କିମ୍ବା ବେଆଇନ ହସ୍ତକ୍ଷେପ ସମ୍ପର୍କରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌କୁ ଗୁପ୍ତ ଭାବେ ସୂଚନା ଦିଆଯାଇଥାଏ। ଏହି ଘଟଣାର ତଦନ୍ତ କରୁଛି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ବିମାନଟି ସୁରକ୍ଷିତ ଭାବେ ଜୟପୁରରେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ବୁଧବାର ପାଇଲଟ୍‌ଙ୍କ ପକ୍ଷରୁ ସମ୍ଭାବ୍ୟ ବିମାନ ଅପହରଣ ସମ୍ପର୍କିତ ଆଲର୍ଟ ଦିଆଯିବା ପରେ ଏୟାର ଇଣ୍ଡିଆର ଏଆଇ-୨୦୩୦ ବିମାନକୁ ଜୟପୁରକୁ ଡାଇଭର୍ଟ କରାଯାଇଥିଲା। ବିମାନଟି ସକାଳ ୯ଟା ୩୫ ମିନିଟ୍‌ରେ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ସୁରକ୍ଷା ଯାଞ୍ଚ ପାଇଁ ଏହାକୁ ଏକ ପୃଥକ ଆଇସୋଲେସନ୍ ବେ’ରେ ରଖାଯାଇଥିଲା। ସୂତ୍ର ଅନୁସାରେ, ଡିଜିସିଏ ଏହି ଘଟଣାର ତଦନ୍ତ କରୁଛି। ପ୍ରାଥମିକ ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୯ଟା ସମୟରେ ଅହମଦାବାଦ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ (ଏଟିସି) ବିମାନରୁ କିଛି ସେକେଣ୍ଡ ପାଇଁ ଏକ ଜରୁରୀ ସଙ୍କେତ ପାଇଥିଲା। ପାଇଲଟ୍‌ ସ୍କ୍ବାକ୍‌ ୭୫୦୦ କୋଡ୍‌ ସକ୍ରିୟ କରିଥିବା ଜଣାପଡ଼ିଛି। ଏହା ଏକ ଅନ୍ତର୍ଜାତୀୟ ବିମାନ ଚଳାଚଳ ଟ୍ରାନ୍ସପଣ୍ଡର କୋଡ୍‌, ଯାହା ବିମାନ ଅପହରଣ କିମ୍ବା ବିମାନରେ ବେଆଇନ ହସ୍ତକ୍ଷେପ ହେଉଥିବା ପରିସ୍ଥିତିରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌କୁ ଗୁପ୍ତ ଭାବେ ସତର୍କ କରିଥାଏ।ଏହି ସଙ୍କେତ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଥିଲା। ସକାଳ ପ୍ରାୟ ୯ଟା ୧୦ ମିନିଟ୍‌ରେ ଦିଲ୍ଲୀ ବିମାନବନ୍ଦରର ୱାର୍ ରୁମ୍‌ରେ ଅଧିକାରୀମାନେ ସତର୍କତାମୂଳକ ପଦକ୍ଷେପ ଭାବେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ। ସକାଳ ୯ଟା ୪୫ ମିନିଟ୍‌ରେ ବିମାନଟିକୁ ଯାଞ୍ଚ ପାଇଁ ଆଇସୋଲେସନ୍ ବେ’କୁ ନିଆଯାଇଥିଲା। ଏହି ସତର୍କ ସଙ୍କେତ କେଉଁ ପରିସ୍ଥିତିରେ ଦିଆଯାଇଥିଲା ଏବଂ ସ୍କ୍ବାକ୍‌ ୭୫୦୦ କୋଡ୍‌ କାହିଁକି ସକ୍ରିୟ ହୋଇଥିଲା, ସେନେଇ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ତଦନ୍ତ କରୁଛନ୍ତି।
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।