ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

Sep 27, 2026 - 21:10
ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଛାଡି ଦିଆଯାଇଛି। ରବିବାର ଭୋରରେ ଗ୍ରାମର କିଛି ବ୍ୟକ୍ତି ଶୌଚ ପାଇଁ ଯାଉଥିବା ବେଳେ ମାଙ୍କଡଟି ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ କାମୁଡ଼ିଥିଲା। ଏନେଇ ଗ୍ରାମବାସୀ ପାଟପୁର ବନବିଭାଗ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଜଣାଇଥିଲେ।

ଫରେଷ୍ଟର ସନ୍ତୋଷ କୁମାର ସାହୁ, ଫରେଷ୍ଟ ଗାର୍ଡ ଜି.ଦିଲ୍ଲୀପ ଏବଂ ପାରା ବନ କର୍ମଚାରୀ ବୃନ୍ଦ ଗାଁରେ ପହଞ୍ଚି ମାଙ୍କଡଟିକୁ କାବୁ କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି । କୌଣସି କାରଣରୁ ମାଙ୍କଡଟିର ମୁଣ୍ଡ ଫାଟି ଯିବା ପରେ ପାଗଳ ହୋଇଯାଇଥିବା ଅନୁମାନ କରାଯାଉଛି ବୋଲି ଫରେଷ୍ଟର କହିଛନ୍ତି । ମାଙ୍କଡଟି ଗୋଟିଏ ଗଛରୁ ଅନ୍ୟ ଗଛକୁ ଡେଇଁ ଗାଁ ସାରା ଗୋଡ଼ାଇ ଗୋଡ଼ାଇ କାମୁଡି ଥିଲା। ବନ କର୍ମଚାରୀ ବୃନ୍ଦ ମାଙ୍କଡକୁ ଧରିବା ପାଇଁ ନୟାନ୍ତ ହୋଇପଡ଼ିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ ।ବନ ବିଭାଗ ପକ୍ଷରୁ ଗାଁରେ ପାଗଳ ମାଙ୍କଡ ଉପଦ୍ରବ କରୁଥିବାରୁ ସତର୍କ ରହିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଇଛି।

ଏନେଇ ଫରେଷ୍ଟର ବନ ବିଭାଗ ଉପରିସ୍ଥ ଅଧିକାରୀମାନଙ୍କୁ ଘଟଣା ସମ୍ପର୍କରେ ଜଣାଇଛନ୍ତି । ତାଲିମ ପ୍ରାପ୍ତ ମାଙ୍କଡ ଧରାଳିଙ୍କୁ ଡକାଯାଇ ମାଙ୍କଡକୁ କାବୁ କରାଯିବ। କିମ୍ବା ବନ ବିଭାଗ ପକ୍ଷରୁ ମାଙ୍କଡକୁ ଟ୍ରାଙ୍କୁଲାଇଜ କରାଯିବା ପରେ ତାକୁ ଧରାଯିବ ବୋଲି ସେ କହିଛନ୍ତି। ଗତ ସୋମବାର ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଗ୍ରାମର ମହିଳା, ଯୁବତୀ ଓ କିଛି ଶିଶୁଙ୍କୁ ମାଙ୍କଡ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ଲୋକେ ପାଗଳ ମାଙ୍କଡର ଉପଦ୍ରବ ନେଇ ଆତଙ୍କିତ ହୋଇପଡିଛନ୍ତି । ସକାଳୁ ଗାଁରେ ତାଟି କବାଟ ପଡିଛି। ରାସ୍ତାଘାଟ ଶୁନ୍ ଶାନ ହୋଇପଡିଛି । କିଛି ଯୁବକ ଠେଙ୍ଗା ଧରି ଗାଁ ସାରା ପହରା ମାରୁଥିବା ଦେଖିବାକୁ ମିଳିଛି । ଏନେଇ ଦିଗପହଣ୍ଡି ବନବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କୁ ପଚାରିବାରୁ ପାଗଳ ମାଙ୍କଡ ଉପଦ୍ରବ ନେଇ ସୂଚନା ପାଇବା ପରେ ସେ ବନ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି।ମାଙ୍କଡ କାମୁଡା ନେଇ ବନ ବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା ନଥିବା କହିଛନ୍ତି ।

ଗତ ଜୁନ ୧୬ ତାରିଖରେ ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ୯ ରୁ ଉର୍ଦ୍ଧ୍ବ ଜଣ ପାଗଳ ହନୁ ମାଙ୍କଡ କାମୁଡ଼ାରେ ଆହାତ ହୋଇଛନ୍ତି। ଆହାତ ମାନେ ହେଲେ ଗ୍ରାମର ସୁକାନ୍ତି ପାତ୍ର, ଲଷ୍ମୀ ବରାଡ଼, ଭାସ୍କର ବରାଡ଼, ଯୋଗୀ ତାରେଣୀ, ବିନି ପ୍ରଧାନ, ପାପାମା ପାତ୍ର, ସପନ ବରାଡ଼, ବୁଢ଼ୀ ପ୍ରଧାନ ଓ ସନ୍ଧ୍ୟାରାଣୀ ଜେନା । ସେମାନଙ୍କୁ ନିକଟସ୍ଥ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଛାଡି ଦିଆଯାଇଥିବା ସୂଚନା ରହିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।