ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

Oct 10, 2026 - 22:18
ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ସମ୍ପାଦକ ଏବଂ ସହ-ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ୨ ଜଣ ପ୍ରାର୍ଥୀଙ୍କ ବୟସ ୨୨ ବର୍ଷ ଅତିକ୍ରାନ୍ତ କରିଥିବାରୁ ନିୟମାନୁଯାୟୀ ଉଭୟଙ୍କ ପ୍ରାର୍ଥୀପତ୍ର ନାକଚ କରାଯାଇଥିଲା। ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ନିର୍ଦ୍ଧାରିତ ସମୟ ସମାପ୍ତ ହେବା ପରେ ବିଭିନ୍ନ ପଦବୀ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି, ଯେଉଁଥିରେ ସଭାପତି ପଦବୀ ପାଇଁ ଚନ୍ଦନ ପୁରୋହିତ ଓ ପ୍ରଣମ ପ୍ରଧାନ, ଉପସଭାପତି ପାଇଁ ଛାତ୍ରୀ କ୍ରିଷ୍ଣା ସ୍ୱାଇଁ ଓ ରୋସନି ସାହୁ, ସାଧାରଣ ସମ୍ପାଦକ ପଦବୀ ପାଇଁ ଜଗନ୍ନାଥ ନାହାକ ଓ ପ୍ରବୀଣ କୁମାର ପାଢ଼ୀ, କ୍ରୀଡ଼ା ସମ୍ପାଦକ ପାଇଁ ଚନ୍ଦନ ବେହେରା ଓ ନରେଶ ବିଷୋୟୀ ଏବଂ ନାଟ୍ୟ ସମ୍ପାଦକ ପାଇଁ ସାଇନାଥ ରାଉତ ଓ ରୁଦ୍ର ପ୍ରସାଦ ଲେଙ୍କାଙ୍କ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ପଷ୍ଟ ହୋଇଛି ଏବଂ ଏହି ସମସ୍ତ ପଦବୀ ପାଇଁ ମୋଟ ୧୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ଅନ୍ୟପକ୍ଷରେ, କ୍ରୀଡ଼ା ସଂସଦ ସହ-ସମ୍ପାଦକ ପଦବୀ ପାଇଁ ମୁନା ସ୍ୱାଇଁ, ନାଟ୍ୟ ସଂସଦ ସହ-ସମ୍ପାଦକ ପଦବୀ ପାଇଁ କାହ୍ନା ସୁଁଆସିଆ, ବିଜ୍ଞାନ ବିଭାଗ ଶ୍ରେଣୀ ପ୍ରତିନିଧି ପଦବୀ ପାଇଁ ଅନନ୍ତ ନାରାୟଣ ଦାସ ଏବଂ କଳା ବିଭାଗ ଶ୍ରେଣୀ ପ୍ରତିନିଧି ପଦବୀ ପାଇଁ ସୋନାଲି ପରିଡ଼ାଙ୍କ ବିରୋଧରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ସେମାନଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ଅର୍ଥାତ୍ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରାଯାଇଥିବା କଲେଜ ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଅଶ୍ୱିନୀ କୁମାର ରଥ ଏବଂ ନିର୍ବାଚନ ପରିଚାଳନା କମିଟି ମୁଖ୍ୟ ତଥା ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଜଣାଇଛନ୍ତି। କଲେଜର ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକମାନେ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଯାଞ୍ଚ କରିଥିବା ବେଳେ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନା ନୋଡ଼ାଲ ଅଧିକାରୀ ଭାବେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଟପୁର ପୁଲିସ ସଦଳବଳେ ମୁତୟନ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।