ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର
ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଗାଁରେ ବେଧଡ଼କ ଚାଲିଥିବା ଚୋରା ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଡବେରୀ ଗ୍ରାମବାସୀ ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଶନିବାର ଗ୍ରାମ କମିଟିର ସଭାପତି ରାଜୁ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗ୍ରାମବାସୀଙ୍କ ସମେତ ବିର୍ଷାମୁଣ୍ଡା ଯୁବକ ସଂଘ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ପୋଲିସ ଓ ଅବକାରୀ ବିଭାଗର ନିଷ୍କ୍ରିୟତା ଏବଂ ବୈମାତୃକ ମନୋଭାବ ଯୋଗୁ ମଦ ମାଫିଆମାନେ ବେଖାତିର ଭାବେ ବ୍ୟବସାୟ ଚଲାଉଥିବା ବୈଠକରେ ଅଭିଯୋଗ ହୋଇଥିଲା। ଏହାପରେ କମିଟି ସଭାପତି, ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ସମ୍ପାଦକ ସୁଶାନ୍ତ ମଲିକ, ବିର୍ଷାମୁଣ୍ଡା ଯୁବକ ସଂଘ ସଭାପତି ଦୀପକ ପ୍ରଧାନ, ନାରୀ ନେତ୍ରୀ ବିଳାସିନୀ ନାୟକଙ୍କ ସମେତ ପ୍ରାୟ ୬୦ ଜଣ ଗ୍ରାମବାସୀ ଥାନାରେ ପହଞ୍ଚି ଆଇଆଇସିଙ୍କୁ ସ୍ମାରକପତ୍ର ସୌପିଥିଲେ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରେଲ ୫ ତାରିଖରେ ଗାଁ କମିଟି ପକ୍ଷରୁ ବୈଠକ କରାଯାଇ ମଦ ବ୍ୟବସାୟୀଙ୍କୁ ଏହି ବେଆଇନ କାରବାରରୁ ନିବୃତ୍ତ ରହି ଅନ୍ୟ ଜୀବିକା ଆପଣାଇବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ନିୟମ ଭଙ୍ଗ କଲେ ଜରିମାନା ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ମଦ ନ ବିକିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ମେ ୧୬ ତାରିଖରେ ଡବେରୀ ଗ୍ରାମରୁ ୩ କିଲୋମିଟର ପଦଯାତ୍ରା କରି ଗ୍ରାମବାସୀ, ଯୁବକ ସଂଘ ଓ ମହିଳା ଗୋଷ୍ଠୀ ଥାନାରେ ପହଞ୍ଚି ଅଞ୍ଚଳକୁ ନିଶାମୁକ୍ତ କରିବାକୁ ଦାବି କରିଥିଲେ। ସେତେବେଳେ ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୋଲିସର ‘ଯଥା ପୂର୍ବଂ ତଥା ପରଂ’ ନୀତି ଯୋଗୁଁ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବାରୁ ଏଥର ଦୃଢ଼ ଓ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।