ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍ ଗେଟ୍: ମୋଟ ୨୬ଟି ଗେଟ୍ରେ ବନ୍ୟାଜଳ ନିଷ୍କାସନ ଜାରି
ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍ ଗେଟ୍ ଖୋଲି ଦିଆଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୧୭ଟି ଓ ଦକ୍ଷିଣ ପାର୍ଶ୍ୱର ୯ଟି, ଏହିପରି ମୋଟ ୨୬ଟି ସ୍ଲୁଇସ୍ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।
ଜଳଭଣ୍ଡାର ପାଣିପାଗ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ୨.୧୩ ମିମି ଓ ତଳମୁଣ୍ଡରେ ୫.୩୮ ମିମି ବର୍ଷା ରେକର୍ଡ ହୋଇଛି। ରବିବାର ଅପରାହ୍ନ ସାଢ଼େ ୨ଟାରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ୬୨୮.୨୫ ଫୁଟ୍କୁ ହ୍ରାସ ପାଇଛି।
ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୪ ଲକ୍ଷ ୫୧ ହଜାର ୦୩୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୪ ଲକ୍ଷ ୬୨ ହଜାର ୬୪୩ ଘନଫୁଟ ଜଳ ନିଷ୍କାସିତ ହେଉଛି।
ସେଥିମଧ୍ୟରୁ ୨୬ଟି ସ୍ଲୁଇସ୍ ଗେଟ୍ ଜରିଆରେ ୪ ଲକ୍ଷ ୨୪ ହଜାର ୦୬୦ ଘନଫୁଟ, ବିଦ୍ୟୁତ୍ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୩୧,୭୩୨ ଘନଫୁଟ, ବରଗଡ଼ କେନାଲରେ ୩,୦୫୮ ଘନଫୁଟ, ଶାସନ କେନାଲରେ ୫୦୦ ଘନଫୁଟ, ସମ୍ବଲପୁର କେନାଲରେ ୧୦୫ ଘନଫୁଟ ଏବଂ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୨୧ ଘନଫୁଟ ଜଳ ନିଷ୍କାସିତ ହେଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।