ପୁଣି ବଢିଲା ନିଲମ୍ବିତ ବିଧାୟକଙ୍କ ଅଡୁଆ !
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା କ୍ରସ ଭୋଟିଂ ପ୍ରସଙ୍ଗ । ବାଚସ୍ପତିଙ୍କ ପାଖକୁ ଯିବ ମାମଲା । ବିଜେଡି କହିଲା ସଭ୍ୟପଦ ରଦ୍ଦ ନିହାତି ଆବଶ୍ୟକ । ତଥ୍ୟ ସହ କୋର୍ଟକୁ ଯିବ କଂଗ୍ରେସ ।.. ..ପୁଣି ବଢିଲା ରାଜ୍ୟସଭାରେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଟେନସନ । ଦଳୀୟ ଅନୁଶାସନ ଭାଙ୍ଗି ଅନ୍ୟଦଳକୁ ଭୋଟ ଦେବା ନେଇ ହୋଇପାରେ କାର୍ଯ୍ୟାନୁଷ୍ଠାନ । ସଭ୍ୟପଦ ରଦ୍ଦ ନେଇ ବଢିବ ଅଡ଼ୁଆ ।
ହାଇକୋର୍ଟରେ ବିଜେଡି ପକ୍ଷରୁ କ୍ରସ ଭୋଟିଂ କରିଥିବା ୮ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ରୁଜୁ ହୋଇଥିବା ମାମଲାର ଶୁଶାଣି ହୋଇଛି । ପୁଣିଥରେ ଏହି ମାମଲା ବାଚସ୍ପତିଙ୍କ ପାଖକୁ ପଠାଇବାକୁ ପ୍ରତିପକ୍ଷଙ୍କୁ କହିଛନ୍ତି କୋର୍ଟ । ଦଳର ଆଦେଶ ନମାନି ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବାରୁ ବିଜେଡିର ୮ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ପାଖରେ ପିଟିସନ ଦେଇଥିଲା ବିଜେଡି । ବିନା ଶୁଶାଣିରେ ବାଚସ୍ପତି ପିଟିସନକୁ ଖାରଜ କରିଥିବାରୁ କୋର୍ଟକୁ ଯାଇଥିଲା ବିଜେଡି । ଅଭିଯୋଗ ଉପରେ ଶୁଣାଣି ନକରି ବାଚସ୍ପତି କାହିଁକି ପିଟିସନ ଖାରଜ କଲେ ତାକୁ ବିରୋଧୀ ବିଜେଡି କୋର୍ଟର ଆଶ୍ରୟ ନେଇଛି । କୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ଗ୍ରହଣ କରିବୁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । କଂଗ୍ରେସ କହିଛି ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ବିଧାୟକ ପ୍ରମାଣ ସହ ଦଳ କୋର୍ଟରେ ୩ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ କରିବ । ଉକ୍ତ ବିଧାୟକ କଂଗ୍ରେସ ଟିକେଟରୁ ନିର୍ବାଚନ ଜିତି କିପରି ଶାସକ ଦଳ କଥାରେ କାମ କରୁଛନ୍ତି ତାର ପ୍ରମାଣ କୋର୍ଟକୁ ଦିଆଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।
ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ବାଳ, ସନାତନ ମହାକୁଡ, ସୁବାସିନୀ ଜେନା, ଚକ୍ରମଣି କହଁର, ଦେବୀ ରଂଜନ ତ୍ରିପାଠୀ, ରମାକାନ୍ତ ଭୋଇ, ନବକିଶୋର ମଲ୍ଲିକ କ୍ରସ ଭୋଟିଂ କରିଥିବା ବେଳେ କଂଗ୍ରେସର ସୋଫିଆ ଫିର୍ଦୋସ, ରମେଶ ଜେନା, ଓ ଦାଶରଥୀ ଗମାଙ୍ଗୋ କ୍ରସ ଭୋଟିଂ କରି ଚର୍ଚ୍ଚାରେ ଅଛନ୍ତି । ବାଚସ୍ପତିଙ୍କ ନିକଟରେ ଉଭୟ ବିଜେଡି ଓ କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଦାବି କରାଯାଇଛି । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି ବାଚସ୍ପତି ସାମ୍ବିଧାନିକ ପଦରେ ଅଧିଷ୍ଠିତ । ଯଦି ପୁନର୍ବାର ଏ ମାମଲା ବାଚସ୍ପତିଙ୍କ ପାଖକୁ ଆସେ ସବୁ ଦିଗକୁ ବିଚାର କରି ବାଚସ୍ପତି ନିଷ୍ପତି ନେବା ଉଚିତ ବୋଲି ସମୀକ୍ଷକ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୨୯ ତାରିଖରେ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।