ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

Sep 07, 2026 - 10:59
ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ ପୁଣି ଆରମ୍ଭ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆଜି ୧୭ ଜିଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲାକୁ ସତର୍କ କରାଯାଇଛି। ସେହିପରି ଆସନ୍ତାକାଲି ୨୦ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

୯ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ବୁଧବାର ଉତ୍ତର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଅନ୍ୟ ୧୧ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

୧୦ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲାରେ ଅତିପ୍ରବଳ ବର୍ଷା ହୋଇପାରେ। ସେହିପରି ୧୧ ତାରିଖରେ ୧୭ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି। ୧୨ ତାରିଖରେ ୫ ଜିଲାକୁ ୟେଲୋ ଆଲର୍ଟ ଦିଆଯାଇଛି।

ବାରମ୍ବାର ବର୍ଷା ଓ ବଢ଼ିପାଣିରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ପୁଣି ବର୍ଷା ଆଶଙ୍କା ଚିନ୍ତା ବଢ଼ାଇଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର ତଳିଆ ଅଞ୍ଚଳରେ ଏହାର ପ୍ରଭାବ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।