ପୁଣି ମୁଣ୍ଡ ନୁଆଁଇବେ
ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି ପକାଇବା। ମୁଁ ଏହା ଲେଖୁଥିବା ସମୟରେ ମୋଦି ସରକାର ଆନ୍ଦୋଳନକାରୀଙ୍କୁ ସମାବେଶ କରିବାକୁ ରୋକୁଛନ୍ତି, କାରଣ ମୁଖ୍ୟ ନିର୍ୱାଚନ କମିଶନରଙ୍କୁ ଉତ୍ତରଦାୟିତ୍ୱରୁୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି। ତାଙ୍କର ଅନିୟମିତତାକୁ ନେଇ ତଥ୍ୟ ଆମ ସମ୍ମୁଖରେ ଅଛି, ଏଥିରେ କୌଣସି ବିବାଦର ପ୍ରଶ୍ନ ନାହିଁ। କିନ୍ତୁ ସରକାର ‘ଯାହା କରିବା କଥା କର’ ମନୋଭାବ ଆପଣାଇଛନ୍ତି। ଏହା କ’ଣ ତିଷ୍ଠିପାରିବ? ଆମେ ସେହି ବିଷୟକୁ ପରେ ଆସିବା, କିନ୍ତୁ ପ୍ରଥମେ ଆଉ ଏକ ପ୍ରସଙ୍ଗକୁ ଦେଖିବା। ଭାରତରେ ଗାନ୍ଧିଜୀଙ୍କର ପ୍ରଥମ ପ୍ରତିବାଦ ୧୯୧୭ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ତାଙ୍କ ବୟସ ଥିଲା ୪୭ ବର୍ଷ। ସେ ଜାଣିବାକୁ ପାଇଲେ ଯେ,‘ତିନକାଠିଆ’ ବ୍ୟବସ୍ଥା ଅଧୀନରେ ଚମ୍ପାରଣର ଭାଗଚାଷୀମାନେ ଆଇନ ଅନୁଯାୟୀ ନିଜ ଜମିର ୧୫% ଭାଗରେ ନୀଳଚାଷ କରିବାକୁ ବାଧ୍ୟ ହେଉଥିଲେ। ଗାନ୍ଧିଜୀ ଚମ୍ପାରଣକୁ ଯାଇ ଏକ ତଥ୍ୟ ଅନୁସନ୍ଧାନ ଅଭିଯାନ ଆରମ୍ଭ କରିବା ପାଇଁ ସ୍ଥିର କଲେ। ହେଲେ ବ୍ରିଟିଶ ମାଜିଷ୍ଟ୍ରେଟ ତାଙ୍କୁ ଚମ୍ପାରଣ ଛାଡ଼ି ଚାଲିଯିବାକୁ ଆଦେଶ ଦେଇଥିଲେ। ଗାନ୍ଧିଜୀ ସେହି ଆଦେଶ ମାନିବାକୁ ମନା କଲେ। ଏହା ପରେ ଯାହା ଘଟିଲା ସେ ବିଷୟରେ ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି:
”କଲେକ୍ଟର, ମାଜିଷ୍ଟ୍ରେଟ, ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଏବଂ ମୋ ମଧ୍ୟରେ ଏକ ପ୍ରକାର ବନ୍ଧୁତ୍ୱପୂର୍ଣ୍ଣ ଭାବ ସୃଷ୍ଟି ହେଲା। ମୋତେ ଦିଆଯାଇଥିବା ନୋଟିସ୍ଗୁଡ଼ିକୁ ମୁଁ ଆଇନଗତ ଭାବେ ବିରୋଧ କରିପାରିଥାନ୍ତି। କିନ୍ତୁ ତାହା ନ କରି ମୁଁ ସେସବୁକୁ ଗ୍ରହଣ କଲି ଏବଂ ଅଧିକାରୀମାନଙ୍କ ପ୍ରତି ମୋର ବ୍ୟବହାର ସମ୍ପୂର୍ଣ୍ଣ ଶାଳୀନ ଥିଲା। ଏହାଦ୍ୱାରା ସେମାନେ ବୁଝିପାରିଲେ ଯେ, ମୁଁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଆଘାତ ଦେବାକୁ ଚାହୁଁନାହିଁ, ବରଂ ସେମାନଙ୍କ ଆଦେଶ ବିରୋଧରେ ସତ୍ୟାଗ୍ରହ କରିବାକୁ ଚାହୁଁଛି। ଏହିପରି ଭାବରେ ସେମାନେ ଆଶ୍ୱସ୍ତ ହେଲେ ଏବଂ ମୋତେ ହଇରାଣ କରିବା ପରିବର୍ତ୍ତେ ମୋର ଓ ମୋ ସହକର୍ମୀଙ୍କ ସହଯୋଗରେ ଜନଗହଳିକୁ ନିୟନ୍ତ୍ରଣ କରିବାକୁ ଆଗେଇ ଆସିଲେ। କିନ୍ତୁ ଏହା ଏକ ପ୍ରତ୍ୟକ୍ଷ ପ୍ରମାଣ ଥିଲା ଯେ ସେମାନଙ୍କର କ୍ଷମତା ଦୋହଲି ଯାଇଛି। ଇଂରେଜମାନେ ସ୍ଥିତିକୁ ଆକଳନ କରି ବୁଝିଗଲେ ଯେ, ଏଥିରେ ସେମାନଙ୍କର ବିଜୟ ଅସମ୍ଭବ। ଗାନ୍ଧିଜୀ ଲେଖିଛନ୍ତି-”କୋର୍ଟରେ ହାଜର ହୋଇ ଦଣ୍ଡାଦେଶ ଶୁଣିବା ପୂର୍ୱରୁ, ମାଜିଷ୍ଟ୍ରେଟ ଜଣାଇଲେ ଯେ ମୋ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ଲ୍ୟୁଟ୍ନାଣ୍ଟ ଗଭର୍ନର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କଲେକ୍ଟର ମଧ୍ୟ ମୋତେ ଚିଠି ଲେଖି ଜଣାଇଲେ ଯେ ମୁଁ ପ୍ରସ୍ତାବିତ ତଦନ୍ତ କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ସରକାରୀ ଅଧିକାରୀଙ୍କ ତରଫରୁ ଯେଉଁ ସାହାଯ୍ୟ ଆବଶ୍ୟକ, ତାହା ମୋତେ ମିଳିବ। ଏଭଳି ଏକ ଶୀଘ୍ର ଏବଂ ସନ୍ତୋଷଜନକ ନିଷ୍ପତ୍ତି ପାଇଁ ଆମ ଭିତରୁ କେହି ବି ପ୍ରସ୍ତୁତ ନ ଥିଲୁ। ନିଜର ପକ୍ଷ ବା କଥା ରଖିବା ପାଇଁ ଚାଷୀମାନଙ୍କର ପ୍ରବଳ ଭିଡ଼ ଜମିଲା ଏବଂ ସେମାନଙ୍କ ପଛରେ ଅନେକ ହଜାର ସହଯୋଗୀ ଆସି କାର୍ଯ୍ୟାଳୟ ପରିସର ଓ ବଗିଚାରେ ଭର୍ତ୍ତି ହୋଇଗଲେ।“ ଏଠାରେ ଉଲ୍ଲେଖଯୋଗ୍ୟ, ସେତେବେଳେ ବ୍ରିଟିଶ ସରକାର ସହାନୁଭୂତିର ସହ ପଦକ୍ଷେପ ନେଇଥିଲେ।
ଗାନ୍ଧିଜୀ ଲେଖିଛନ୍ତି-”ନିଜର କଥା ରଖିବା ପାଇଁ ଆସୁଥିବା ଭାଗଚାଷୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରୁ ଜମିମାଲିକଙ୍କ କ୍ରୋଧ ବଢ଼ିଲା ଏବଂ ସେମାନେ ମୋ ତଦନ୍ତକୁ ବନ୍ଦ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କଲେ। କିନ୍ତୁ ଲ୍ୟୁଟ୍ନାଣ୍ଟ ଗଭର୍ନର ସାର୍ ଏଡ୍ୱାର୍ଡ ଗେଟ୍ ଏକ ତଦନ୍ତ କମିଟି ଗଠନ କରିବାକୁ ସହମତି ପ୍ରକାଶ କରି ମୋତେ ତାଙ୍କୁ ଦେଖାକରିବାକୁ କହିଲେ। ମୋତେ ସେହି କମିଟିର ସଦସ୍ୟ ହେବା ପାଇଁ ଆମନ୍ତ୍ରଣ କଲେ। କମିଟି ଚାଷୀଙ୍କ ସପକ୍ଷରେ ଭୋଟ ଦେଲା ଏବଂ ସୁପାରିସ କଲା ଯେ, ବେଆଇନ ଭାବେ ଜମି ମାଲିକମାନେ ଆଦାୟ କରିଥିବା ଅର୍ଥର ଏକ ଅଂଶ ଫେରାଇ ଦିଆଯାଉ ଏବଂ ଆଇନ ଦ୍ୱାରା ‘ତିନକାଠିଆ’ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ। ପ୍ରାୟ ଏକ ଶତାବ୍ଦୀ ଧରି ପ୍ରଚଳିତ ଥିବା ତିନକାଠିଆ ବ୍ୟବସ୍ଥା ଏହିପରି ଭାବେ ଉଚ୍ଛେଦ ହେଲା ଏବଂ ଏହା ସହିତ ଜମି ମାଲିକଙ୍କ ଆଧିପତ୍ୟର ମଧ୍ୟ ଅବସାନ ଘଟିଲା। ଏହିପରି ଭାବେ ସରକାର ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ପ୍ରତିବାଦର ଅଧିକାରକୁ ସ୍ୱୀକାର କରି ଅନ୍ୟାୟକୁ ଦୂର କରିବା ଉଚିତ।
ଏବକାର ସମୟକୁ ଫେରିବା। ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଯୋଗୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଇବା ପରେ ସରକାର ଉତ୍ତରଦାୟିତ୍ୱ ସିଦ୍ଧାନ୍ତକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ। ସରକାର ଏବେ ମୁଖ୍ୟ ନିର୍ୱାଚନ କମିଶନରଙ୍କୁ ପଦରୁ ହଟାଇବା ପ୍ରସ୍ତାବକୁ ପ୍ରତିରୋଧ କରୁଛନ୍ତି। ତେବେ ଏସ୍ଆଇଆର୍କୁ ନେଇ ସରକାରଙ୍କ ପଛଘୁଞ୍ଚା ଦର୍ଶାଉଛି ଯେ ସରକାର ଚିନ୍ତିତ ହୋଇପଡ଼ିଛନ୍ତି ଏବଂ ଲୋକଙ୍କ ଅସନ୍ତୋଷ କମାଇବା ପାଇଁ କିଛି କୋହଳ କରୁଛନ୍ତି ବୋଲି ଜଣାଇବାକୁ ଚାହଁୁଛନ୍ତି। ପ୍ରକ୍ରିୟାରେ ଟିକେ ପରିବର୍ତ୍ତନ କରି ଏକ ନୂଆ ଫର୍ମ ପୂରଣ କରିବାର ପଦକ୍ଷେପ ନିଆଯାଇଛି। କିନ୍ତୁ ଦୁର୍ଭାଗ୍ୟବଶତଃ, ଏହା କାମ କରିନାହିଁ କାରଣ ନାଗରିକମାନେ ସମ୍ପୂର୍ଣ୍ଣ ଭୋଟରତାଲିକା ଦୁର୍ନୀତି କେତେ ଗୁରୁତର ତାହା ବୁଝିପାରିଛନ୍ତି। ସମସ୍ୟା ହେଉଛି, ନାଗରିକଙ୍କର ଏକ ବଡ଼ ଗୋଷ୍ଠୀ ରାଜପଥକୁ ଓହ୍ଲାଇ ଆସିଲେ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼େ। ଏହା ଚାଷୀମାନଙ୍କ କ୍ଷେତ୍ରରେ, ଏନ୍ଆର୍ସି ପ୍ରସଙ୍ଗରେ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ ଘଟିଥିଲା। ଏହା ପୁଣି ଥରେ ଘଟିବ, କାରଣ ଏହାର କୌଣସି ବିକଳ୍ପ ନାହିଁ। ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ଆହୁରି ଅଢ଼େଇ ବର୍ଷ ବାକି ଅଛି ଅର୍ଥାତ୍ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ରହିଛି। ସରକାର ସେ ପର୍ଯ୍ୟନ୍ତ ତାଙ୍କୁ ରଖିପାରିବେ ବୋଲି ମନେ ହେଉନାହିଁ। ଯଦି ଆନ୍ଦୋଳନକାରୀମାନେ ଏକଜୁଟ ହୋଇ ରହନ୍ତି, ତେବେ ସରକାର ଶେଷରେ ଠିକ୍ ପଦକ୍ଷେପ ନେବାକୁ ଏବଂ ଉତ୍ତରଦାୟିତ୍ୱର ସିଦ୍ଧାନ୍ତକୁ ପୁନର୍ୱାର ସ୍ୱୀକାର କରିବାକୁ ବାଧ୍ୟ ହେବେ। ଏହା କହିବା ହୁଏତ ଅଯୌକ୍ତିକ ମନେ ହୋଇପାରେ, କିନ୍ତୁ ଏହା ହିଁ ବାସ୍ତବତା। ମୋଦି ସରକାର ଚମ୍ପାରଣରେ ଗାନ୍ଧୀଙ୍କ ସହ ହୋଇଥିବା ବ୍ରିଟିଶ ଶାସନର ବ୍ୟବହାରରୁ ଶିକ୍ଷା ନେବା ଉଚିତ। ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାରକୁ ସ୍ୱୀକାର କରନ୍ତୁ। କୋଟି କୋଟି ଭୋଟରଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ବଦଳାନ୍ତୁ ଏବଂ ଦାୟୀ ବ୍ୟକ୍ତିଙ୍କୁ ଦଣ୍ଡିତ କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।