ପୂଜା ପୂର୍ବରୁ ଶ୍ରମିକଙ୍କ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ପୂଜା ପୂର୍ବରୁ ରାଜ୍ୟ ସରକାର ଶ୍ରମିକଙ୍କୁ ଖୁସି ଖବର ଦେଇନ୍ତି । ୬ ଟଙ୍କା ବୃଦ୍ଧି ହେଲା ଦୈନିକ ଭତ୍ତା ବା ମଜୁରୀ । ଅଣକୁଶଳୀ ଶ୍ରମିକ ୪୭୮ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ୫୨୮ ଟଙ୍କା,କୁଶଳୀ ଶ୍ରମିକ ୫୭୮ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ୬୨୮ ଟଙ୍କାରେ ପହଞ୍ଚିଛି । ଅକ୍ଟୋବର ୧ରୁ ଲାଗୁ ହେବ ବର୍ଦ୍ଧିତ ମଜୁରୀ । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହ ଦ୍ବାରା ରାଜ୍ୟର ସଂଗଠିତ ତଥା ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ / କର୍ମଚାରୀ ମାନେ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରତିବର୍ଷ ଏପ୍ରିଲ ୧ ଓ ଅକ୍ଟୋବର ୧ରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରିରେ ସଂଶୋଧନ କରାଯାଇଥାଏ । ଶିଳ୍ପ ଶ୍ରମିକମାନଙ୍କ ପାଇଁ ଜାରି ହେଉଥିବା ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କକୁ ସେଥିପାଇଁ ବିଚାରକୁ ନିଆଯାଇଥାଏ। ସେହି ସୂଚକାଙ୍କ ସଂଖ୍ୟା ହାରାହାରି ୧୪୭.୫୦ରୁ ବୃଦ୍ଧି ପାଇ ୧୪୯.୮୦ରେ ପହଞ୍ଚିଛି ।
ସେଥିପାଇଁ ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ବର୍ଷର ଦ୍ୱିତୀୟ ଭାଗ ପାଇଁ ମହଙ୍ଗା ଭତ୍ତାରେ ପରିବର୍ତ୍ତନ ଆବଶ୍ୟକ ହେଉଥିଲା। ସେହି ଅନୁସାରେ ଶ୍ରମ ଆୟୁକ୍ତଙ୍କ ସମ୍ମତି ଆଧାରରେ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।