ପୂର୍ବ କଙ୍ଗୋରେ ଦୁଇଟି ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
ବୁକାଭୁ: ପୂର୍ବ କଙ୍ଗୋର ବୁକାଭୁ ସହରରେ ଥିବା ଦୁଇଟି ପାଖାପାଖି ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତିକମରେ ୨୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୯ ଜଣ ଛାତ୍ରୀ ଏବଂ ୫ ଜଣ ଛାତ୍ର ରହିଛନ୍ତି। ଏହାସହ ଅନ୍ୟ ୨୯ ଜଣ ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ନିକଟସ୍ଥ ଘରୁ ନିଆଁ ଲାଗି ପାଖରେ ଥିବା ଫୁରାହା ସେକେଣ୍ଡାରୀ ସ୍କୁଲ ଏବଂ ଉଜାମା ପ୍ରାଥମିକ ସ୍କୁଲକୁ ବ୍ୟାପିଯାଇଥିଲା। ସ୍କୁଲରୁ ବାହାରିବା ରାସ୍ତା ଅତ୍ୟନ୍ତ ସଙ୍କୁଚିତ ଥିବାରୁ ଜରୁରୀ ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ଠେଲାପେଲା ଏବଂ ଦଳଚକଟା ସୃଷ୍ଟି ହୋଇଥିଲା। କେତେକ ଛାତ୍ରଛାତ୍ରୀ ଝରକା ଦେଇ ଡେଇଁଥିବା ବେଳେ ଫୁରାହା ସ୍କୁଲ ଭିତରେ ଅନେକ ଛାତ୍ରଛାତ୍ରୀ ଫସି ରହି ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ପ୍ରଚଣ୍ଡ ନିଆଁ ଓ ଜନଗହଳି ପୂର୍ଣ୍ଣ କାଠଘର ଯୋଗୁଁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।