ପୋଲିସ ତଣ୍ଟିରେ ମିଛ ଦୁଷ୍କର୍ମ କଣ୍ଟା, ସ୍ବାର୍ଥ ସାଧନ ପାଇଁ ଥାନାରେ ହେଉଛି ମିଛ ମାମଲା
ନନ୍ଦିଘୋଷ ବ୍ୟୁରୋ: ସ୍ୱାର୍ଥ ସାଧନ ପାଇଁ ଥାନାରେ ଦୁଷ୍କର୍ମ କେସ୍ । ବିଗତ ଦେଢ଼ ବର୍ଷରେ ଭୁବନେଶ୍ୱର UPDରେ ରୁଜୁ ହୋଇଛି ୨୫୦ ଦୁଷ୍କର୍ମ ମାମଲା । ଗୁରୁତ୍ବପୂର୍ଣ୍ଣ କଥା ୨୦ଟି ଦୁଷ୍କର୍ମ ମାମଲାର ପ୍ରମାଣ ପୋଲିସ ପାଖରେ ନାହିଁ । ସ୍ୱାର୍ଥ ସାଧନ ପାଇଁ ପୀଡିତାଙ୍କ ଫନ୍ଦି ଫିକର । ଏନେଇ ବଢିଛି ପୋଲିସର ଚିନ୍ତା ।
ପରିବହନ ବିଭାଗର ତତ୍କାଳୀନ ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କ ନାଁରେ ଖାରବେଳନଗର ଥାନାରେ ହୋଇଥିଲା ଦୁଷ୍କର୍ମ ଭଳି ସାଙ୍ଘାତିକ ମାମଲା । ଯାହାକୁ ନେଇ ରାଜ୍ୟ ସରକାର ତାଙ୍କ ବିରୋଧରେ ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜାମିନ ଆବେଦନ ଶୁଣାଣି ସମୟରେ ପୀଡିତା ଓ ଅରୁଣଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସତ୍ୟପାଠ ଦାଖଲ କରାଯାଇଥିଲା । ଏଭଳି ଗୋଟିଏ ଘଟଣା ନୁହେଁ, ରାଜଧାନୀରେ ଅଧିକାଂଶ କେସରେ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ପାଇଁ ଯୁବତୀ ବା ମହିଳା ଦୁଷ୍କର୍ମ ମାମଲା ରୁଜୁ କରୁଥିବା ଦେଖାଯାଉଛି । ପୀଡିତା ମିଛ କେସ ବୋଲି ଜାଣିଥିବାରୁ ପରବର୍ତ୍ତୀ ସମୟରେ ଡାକ୍ତରୀମାଇନା ପାଇଁ ଏଡାଇ ଯାଉଛନ୍ତି । ଜମିବାଡ଼ି ବିବାଦ, ବ୍ୟକ୍ତିଗତ ଶତ୍ରୁତା, ପ୍ରେମରେ ପ୍ରତାରଣା, ଆର୍ଥିକ ଲୋଭରୁ ଥାନାରେ ଦୁଷ୍କର୍ମ ମାମଲା ବଢୁଥିବା ଦେଖାଯାଉଛି ।
ମିଳିଥିବା ତଥ୍ୟ ମୁତାବକ, ବିଗତ ଦେଢ଼ ବର୍ଷ ମଧ୍ୟରେ ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲା ଅଧୀନରେ ପାଖାପାଖି ୨୫୦ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ସେଥିରୁ ୨୦ କେସରେ ପୋଲିସ ପାଖରେ ଆବଶ୍ୟକୀୟ ତଥ୍ୟ ପ୍ରମାଣ ନାହିଁ । ୫ଟି କେସରେ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ ପୀଡିତା ଦୁଷ୍କର୍ମ ନହୋଇଥିବା ସ୍ୱୀକାର କହିଛନ୍ତି । ମିଛ ଅଭିଯୋଗ ବା ମିଛ ସାକ୍ଷୀ ଦେଲେ ପୋଲିସ ଓ ସରକାରୀ ଓକିଲ ମାମଲା ରୁଜୁ କରିପାରିବେ । BNS ଧାରା ୨୧୭ ଅନୁସାରେ ମିଛ ଅଭିଯୋଗ ପାଇଁ ୭ ବର୍ଷ ଜେଲଦଣ୍ଡ ଓ ଜରିମାନାର ପ୍ରାବଧାନ ରହିଛି । ମିଛ କେସରେ ଦୋଷମୁକ୍ତ ହୋଇଥିବା ବ୍ୟକ୍ତି, ସାମାଜିକ ଅପବାଦ ଓ ମାନହାନି ପାଇଁ କୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇପାରିବେ । ଅଧିକାଂଶ କ୍ଷେତ୍ରରେ ପୋଲିସ ମଧ୍ୟ ପକ୍ଷପାତିତା କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ତଦନ୍ତ ପ୍ରଭାବିତ ହେଉଥିବା ଦେଖାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।