ପ୍ରଖର ସ୍ରୋତରେ ଦବିଲା ଋଷିକୁଲ୍ୟା ନଦୀ ପଥର ବନ୍ଧ, ପାଣି ପଶିବା ଭୟରେ ତୁରନ୍ତ ସହାୟତା ପାଇଁ ଆଗେଇ ଆସିଲେ…
ଗଞ୍ଜାମ, ୩୧।୧୦(ବିଦ୍ୟାଧର ସାହୁ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ନଦୀର ସ୍ରୋତ ଅତ୍ୟନ୍ତ ପ୍ରଖର ହୋଇ ନଦୀ ପାର୍ଶ୍ୱସ୍ଥ ପଥର ବନ୍ଧ ଦବିଯାଇଥିଲା। ବନ୍ଧରେ ଗଳାବାଟ ସୃଷ୍ଟି ହୋଇ ସ୍ଥଳଭାଗକୁ ବନ୍ୟାଜଳ ମାଡ଼ିଆସିବାର ପ୍ରବଳ ଆଶଙ୍କା ଦେଖାଦେଇଥିଲା।
ଏହି ସଙ୍କଟଜନକ ସ୍ଥିତି ସମ୍ପର୍କରେ ଜାଣିବା ପରେ ଗଞ୍ଜାମ ସହରର ଯୁବ ସ୍ୱେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବ ଗୋଷ୍ଠୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଜେସିବି (JCB) ସାହାଯ୍ୟରେ ଦବିଯାଇଥିବା ବନ୍ଧ ସ୍ଥାନରେ ବାଲି ଓ ମାଟି ପକାଇ ଗଳାବାଟକୁ ବନ୍ଦ କରିବା ସହ ଏକ ବଡ଼ ଧରଣର ବିପଦକୁ ଏଡ଼ାଇ ଦେଇଛନ୍ତି। ଯୁବ ଗୋଷ୍ଠୀଙ୍କ ଏହି ସାହସିକ ଓ ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।
ଏହା ସହିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଘରୁ ବାହାରି ପାରୁନଥିବା ବିପନ୍ନ ପରିବାରଙ୍କୁ ମଧ୍ୟ ଏହି ଯୁବ ସ୍ୱେଚ୍ଛାସେବୀମାନେ ସହାୟତାର ହାତ ବଢ଼ାଇଛନ୍ତି। ଖୋଦ୍ ଏନ୍ଏସି (NAC) ଅଧ୍ୟକ୍ଷାଙ୍କ ବାସଭବନ ନିକଟରେ ରହୁଥିବା କ୍ଷତିଗ୍ରସ୍ତ ବ୍ୟକ୍ତି ଓ ପରିବାରମାନଙ୍କୁ ସେମାନେ ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିବା ଦେଖିବାକୁ ମିଳିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।