ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ
ଢାକା,୨୯।୯: କ୍ରିକେଟ୍ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ ନୂଆ ଟୁର୍ନାମେଣ୍ଟ ଘୋଷଣା କରିଛି। ଏହି ପ୍ରତିଯୋଗିତାରେ ଟି-୨୦, ଫାର୍ଷ୍ଟ କ୍ଲାସ ଓ ଲିଷ୍ଟ-ଏତିନୋଟି ଫର୍ମାଟ୍ରେ ମ୍ୟାଚ ଖେଳାଯିବ।
୨୦୨୬-୨୭ ଘରୋଇ ସିଜିନ୍ରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ବିଶେଷ କଥା ହେଉଛି, ଡି-୩ରେ ଫ୍ରାଞ୍ଚାଇଜ ବ୍ୟବସ୍ଥା ରହିବ। ଅର୍ଥାତ୍ ଗୋଟିଏ ଫ୍ରାଞ୍ଚାଇଜ ଟିମ ତିନୋଟି ଫର୍ମାଟ୍ରେ ଖେଳିବ। ଫାର୍ଷ୍ଟ କ୍ଲାସ ଓ ଲିଷ୍ଟ-ଏ କ୍ରିକେଟ୍ରେ ଫ୍ରାଞ୍ଚାଇଜ ଭିତ୍ତିକ ଘରୋଇ ପ୍ରତିଯୋଗିତାର ଏହି ଧାରଣାକୁ ବିସିବି ଏକ ନୂଆ ପଦକ୍ଷେପ ଭାବେ ଉପସ୍ଥାପନ କରିଛି।
ଡି-୩ରେ ଅଂଶଗ୍ରହଣ କରିବାକୁ ୬ଟି କମ୍ପାନୀ ଫ୍ରାଞ୍ଚାଇଜ ଅଧିକାର ହାସଲ କରିଛନ୍ତି। ପ୍ରତ୍ୟେକ ଫ୍ରାଞ୍ଚାଇଜ ସହ ବିସିବି ୩ ବର୍ଷର ଚୁକ୍ତି କରିଛି। ପ୍ରତି ସିଜିନ୍ରେ ଏହି ଦଳଗୁଡ଼ିକ ଟି-୨୦, ଫାର୍ଷ୍ଟ କ୍ଲାସ ଓ ଲିଷ୍ଟ-ଏ ଫର୍ମାଟ୍ରେ ମ୍ୟାଚ ଖେଳିବେ। ଡି-୩ ପ୍ରତିଯୋଗିତା ଟି-୨୦ ଫର୍ମାଟ୍ରୁ ଆରମ୍ଭ ହୋଇପାରେ। ସେପ୍ଟେମ୍ବର ୧୫ରୁ ଏହା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ପରେ ଜାନୁଆରୀରେ ଫର୍ଷ୍ଟ କ୍ଲାସ ଏବଂ ମେ’ ମାସରେ ଲିଷ୍ଟ-ଏ ମ୍ୟାଚ ଆୟୋଜିତ ହୋଇପାରେ। ବିସିବି ଅଧ୍ୟକ୍ଷ ତମିମ ଇକବାଲଙ୍କ ଅନୁଯାୟୀ, ବାଂଲାଦେଶର ଘରୋଇ କ୍ରିକେଟକୁ ଅଧିକ ଆକର୍ଷଣୀୟ ଓ ରୋମାଞ୍ଚକର କରିବା ଉଦ୍ଦେଶ୍ୟରେ ଡି-୩ ଆରମ୍ଭ କରାଯାଉଛି। ପ୍ରତ୍ୟେକ ଫ୍ରାଞ୍ଚାଇଜ ମାଲିକ ବିସିବିକୁ ୨.୫ କୋଟି ବାଂଲାଦେଶୀ ଟାକା ପ୍ରଦାନ କରିବେ।
ଏପର୍ଯ୍ୟନ୍ତ ୬ଟି ଫ୍ରାଞ୍ଚାଇଜ୍ର ନାମ ଘୋଷଣା ହୋଇନାହିଁ। ତେବେ ପ୍ରତ୍ୟେକ ଦଳର ଆଇକନ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ମେହଦି ହାସନ ମିରାଜ, ତୌହିଦ ହୃଦୟ, ମୋସାଦ୍ଦେକ ହୁସେନ, ମୁଶଫିକୁର ରହିମ, ମହମ୍ମଦ ନଇମ ଓ ନୁରୁଲ ହାସନଙ୍କୁ ୬ଟି ଦଳର ଆଇକନ ଖେଳାଳି ଭାବେ ସାମିଲ କରାଯାଇଛି। ଡି-୩ ମାଧ୍ୟମରେ ବାଂଲାଦେଶର ଫର୍ଷ୍ଟ କ୍ଲାସ, ଲିଷ୍ଟ-ଏ ଓ ଟି-୨୦ ଘରୋଇ କ୍ରିକେଟ୍କୁ ଏକ ଫ୍ରାଞ୍ଚାଇଜ ଢାଞ୍ଚାରେ ଏକାଠି କରିବାକୁ ଉଦ୍ୟମ କରାଯାଉଛି।
ଆର୍ଥିକ କ୍ଷତି ଦର୍ଶାଇ ବିସିବି ଅଗଷ୍ଟ ମାସରେ ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ)କୁ ସ୍ଥଗିତ କରିଥିଲା। ବିପିଏଲ୍ର ପୁନରୁଦ୍ଧାର ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଆସି ନ ଥିବା ବେଳେ ଘରୋଇ କ୍ରିକେଟ୍ର ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ବିସିବି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।