ପ୍ରଶଂସକଙ୍କ ପାଇଁ Bad News: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ହେବ ବାତିଲ! ଜାଣନ୍ତୁ କାହିଁକି..

Nov 06, 2026 - 12:07
ପ୍ରଶଂସକଙ୍କ ପାଇଁ Bad News: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ହେବ ବାତିଲ! ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ୱେଲିଂଟନରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟ ସହ ସିରିଜ ଆରମ୍ଭ କରିଥିବା ଟିମ ଇଣ୍ଡିଆ ଏବେ ଦ୍ୱିତୀୟ ମ୍ୟାଚ ଜିତି ସିରିଜରେ ଆଗୁଆ ରହିବାକୁ ଲକ୍ଷ୍ୟ ରଖିଛି। ତେବେ ଦ୍ୱିତୀୟ ମ୍ୟାଚ ଉପରେ ବର୍ଷାର ବିପଦ ଘନେଇଛି। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମଧ୍ୟ ବର୍ଷା ଯୋଗୁ ୧୮ ଓଭର କମାଇବାକୁ ପଡ଼ିଥିଲା। ଏବେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି। ଫଳରେ ମ୍ୟାଚର ରୋମାଞ୍ଚ ଫିକା ପଡ଼ିପାରେ।

ଦ୍ୱିତୀୟ ଦିନିକିଆ ପୂର୍ବରୁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ଅଭ୍ୟାସ କରୁଛନ୍ତି। ହେନରୀ ଷ୍ଟାଡିୟମ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଭାରତୀୟ ଦଳ ନିଜର ଅଭ୍ୟାସ ଅଧିବେଶନ ବାତିଲ କରିଦେଇଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ୱେଲିଂଟନ କଲେଜର ଇନ୍ଡୋର୍‌ ଅଭ୍ୟାସ କରିବାକୁ ନିଷ୍ପତ୍ତି ନେଇଛି।

ନଭେମ୍ବର ୭ ଅର୍ଥାତ୍‌ ଆସନ୍ତାକାଲି ଦ୍ୱିତୀୟ ଦିନିକିଆ ଖେଳାଯିବ। ରିପୋର୍ଟ ଅନୁସାରେ, ଦିନର ପ୍ରଥମାର୍ଦ୍ଧରେ ବର୍ଷା ହେବାର ସମ୍ଭାବନା ୬୦ ପ୍ରତିଶତ ଥିବାବେଳେ ଦ୍ୱିତୀୟାର୍ଦ୍ଧରେ ଏହା ୫୫ ପ୍ରତିଶତ ରହିଛି। ନ୍ୟୁଜିଲାଣ୍ଡରେ ଏବେ ପାଗ ଅନୁକୂଳ ନାହିଁ। ଏହାର ପ୍ରଭାବ ମ୍ୟାଚ ଉପରେ ପଡ଼ୁଥିବାବେଳେ ଦ୍ୱିତୀୟ ଦିନିକିଆରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିପାରେ।

ପ୍ରଥମ ଦିନିକିଆ ମ୍ୟାଚ ୧୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହାପରେ ଭାରତୀୟ ଦଳ ବ୍ୟାଟିଂ କରୁଥିବା ସମୟରେ ମଧ୍ୟ ବର୍ଷା ହୋଇଥିଲା। ପ୍ରଥମେ ଭାରତ ସମ୍ମୁଖରେ ୫୦ ଓଭରରେ ୧୮୬ ରନ୍ର ଲକ୍ଷ୍ୟ ରହିଥିଲା। କିନ୍ତୁ ବର୍ଷା ଯୋଗୁ ଓଭର ସଂଖ୍ୟା ସହ ଲକ୍ଷ୍ୟ ମଧ୍ୟ କମାଇ ଦିଆଯାଇଥିଲା।

ମ୍ୟାଚରେ ଦୁଇଥର ବର୍ଷା ବାଧା ସୃଷ୍ଟି କରିଥିଲା ଏବଂ ମୋଟ ୧ ଘଣ୍ଟା ୪୦ ମିନିଟ ଖେଳ ନଷ୍ଟ ହୋଇଥିଲା। ଫଳରେ ଭାରତକୁ ୩୨ ଓଭରରେ ୧୪୩ ରନର ଲକ୍ଷ୍ୟ ମିଳିଥିଲା। ଦ୍ୱିତୀୟ ମ୍ୟାଚରେ ବର୍ଷାର ସମ୍ଭାବନା ଆହୁରି ଅଧିକ ଥିବାରୁ ମ୍ୟାଚର ଓଭର ସଂଖ୍ୟା ଆହୁରି କମିପାରେ। ଯଦି ପାଗ ଅଧିକ ଖରାପ ହୁଏ, ତେବେ ମ୍ୟାଚ ବାତିଲ ହେବାର ଆଶଙ୍କା ମଧ୍ୟ ରହିଛି।

ପ୍ରଥମ ଦିନିକିଆରେ ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୧୮୫ ରନ କରି ୪୦.୨ ଓଭରରେ ଅଲଆଉଟ ହୋଇଯାଇଥିଲା। ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଅର୍ଶଦୀପ ସିଂହ ୪ଟି, ଗୁରନୂର ବରାର ୩ଟି ଏବଂ ଅଂଶୁଲ କମ୍ବୋଜ ୨ଟି ଉଇକେଟ୍‌ ନେଇଥିଲେ। ଅଂଶୁଲ ସବୁଠାରୁ କମ ରନ ବ୍ୟୟ କରି ପ୍ରଭାବଶାଳୀ ବୋଲିଂ କରିଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।