ପ୍ରେମ-ଅପହରଣ ପରେ ବାଙ୍ଗାଲୋରରେ ନାବାଳିକାଙ୍କୁ ଛାତରୁ ଠେଲି ହତ୍ୟା !ନନ୍ଦିପଦା ଥାନାରେ ‘ଜିରୋ ଏଫ୍ଆଇଆର୍’
ହାଟଡିହୀ,୧୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ବାଙ୍ଗାଲୋରରେ ଛାତରୁ ଠେଲି ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମୃତ ନାବାଳିକା ଜଣକ ଯାଜପୁର ରୋଡ୍ସ୍ଥିତ ଭି.ଏନ୍. କଲେଜର ଛାତ୍ରୀ ଥିଲେ। ସେ ଏକ ହଷ୍ଟେଲରେ ରହି କୋଚିଂ ନେଉଥିବା ବେଳେ ୧୪ ଡିସେମ୍ବର ୨୦୨୪ରେ ନିଖୋଜ ହୋଇଯାଇଥିଲେ। ଏନେଇ କୋଚିଂ ସେଣ୍ଟର ମାଲିକ ସୁବ୍ରତ ସାହୁଙ୍କ ଅଭିଯୋଗ କ୍ରମେ ଯାଜପୁର ରୋଡ୍ ଥାନାରେ ମାମଲା (ନଂ ୭୦୧/୨୦୨୪) ରୁଜୁ ହୋଇଥିଲା। ପରେ ନନ୍ଦିପଦା ପୋଲିସ ସହାୟତାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା।
ତେବେ ଏହାର ଦୁଇ ମାସ ପରେ ଭଦ୍ରକ ଜିଲା ବନ୍ତ ଥାନା କରଞ୍ଜପଡ଼ା ଗ୍ରାମର ବାଦଲ ସା (ପିତା: ମଦନ ସା) ଉକ୍ତ ନାବାଳିକାଙ୍କୁ ଅପହରଣ କରି ବାଙ୍ଗାଲୋର ନେଇଯାଇଥିଲେ। ସେଠାରେ ରୂପିଆ ନଗର ଥାନା ଅଧୀନ ମଙ୍ଗଲପାଲିଆ ହଂସଚନ୍ଦ୍ର ଅଞ୍ଚଳରେ ଉଭୟ ରହୁଥିଲେ।
ଅଭିଯୋଗ ଅନୁସାରେ, ଗତ ୧୩ ଅକ୍ଟୋବର ୨୦୨୬ରେ ଅଭିଯୁକ୍ତ ବାଦଲ ସା ନାବାଳିକାଙ୍କୁ ଛାତରୁ ଠେଲି ହତ୍ୟା କରିଛନ୍ତି। ନାବାଳିକାଙ୍କ ମୃତଦେହ ଘରକୁ ଆଣିବା ସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତକଙ୍କ ମା’ ନନ୍ଦିପଦା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ‘ଜିରୋ ଏଫ୍ଆଇଆର୍’ (Zero FIR) ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।