ଫସଲ ଖାଇଦେବାରୁ ଧାରୁଆ ଅସ୍ତ୍ରରେ ଛେଳିକୁ ହାଣିଦେଲେ: ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି, ଅଭିଯୁକ୍ତ…

Oct 22, 2026 - 22:47
ଫସଲ ଖାଇଦେବାରୁ ଧାରୁଆ ଅସ୍ତ୍ରରେ ଛେଳିକୁ ହାଣିଦେଲେ: ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି, ଅଭିଯୁକ୍ତ…

ଦିଗପହଣ୍ଡି, ୨୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଫସଲ ନଷ୍ଟକୁ କେନ୍ଦ୍ରକରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ରେ ଛେଳି ପଶି ଫସଲ ଖାଇଦେବାରୁ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟକ୍ତି ଛେଳିକୁ ଧାରୁଆ ଅସ୍ତ୍ରରେ ହାଣି ଗୁରୁତର କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଗୁରୁବାର ପାଟପୁର ଗାନ୍ଧୀ ଛକ ନିକଟ ନଦୀକୂଳରେ ଥିବା ପୀତବାସ ପ୍ରଧାନଙ୍କ ବାଡ଼ରେ ଗାଣ୍ଡୁ ଗୌଡ଼ଙ୍କ ଛେଳିପଲ ପଶି ଫସଲ ଖାଇଦେଇଥିଲେ। ଫସଲ ନଷ୍ଟ ହେଉଥିବା ଦେଖି ପୀତବାସ ଗାଣ୍ଡୁଙ୍କୁ ଗାଳିଗୁଲଜ କରିଥିଲେ। ଗାଣ୍ଡୁ ଏହାର ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ହୋଇ ପୀତବାସ ଏକ ଧାରୁଆ ଅସ୍ତ୍ରରେ ଗାଣ୍ଡୁଙ୍କର ଗୋଟିଏ ଛେଳିକୁ ହାଣି ଦେଇଥିଲେ। ଏହାପରେ ଗାଣ୍ଡୁ ନିଜ ଛେଳିପଲକୁ ଧରି ସେଠାରୁ ଚାଲିଯାଇଥିଲେ ଏବଂ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ଛେଳିଟିର ପ୍ରାଥମିକ ଚିକିତ୍ସା କରାଇଥିଲେ।

ଛେଳିଟିର ଚିକିତ୍ସା ପରେ ଗାଣ୍ଡୁ ଗୌଡ଼ ଏନେଇ ପାଟପୁର ଥାନାରେ ଦାଖଲ କରିଥିଲେ। ଏତଲାକୁ ଆଧାର କରି ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ- ୩୪୩/୨୬ ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ଅଶୋକ କୁମାର ପଟ୍ଟନାୟକ ସନ୍ଧ୍ୟାରେ ଅଭିଯୁକ୍ତ ପୀତବାସ ପ୍ରଧାନଙ୍କୁ ଗିରଫ କରିଥିଲେ।

ପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୩୫(୩) ଅନୁଯାୟୀ ନୋଟିସ୍ ପ୍ରଦାନ କରାଯାଇ, କୋର୍ଟରେ ହାଜର ହେବା ପାଇଁ ସର୍ତ୍ତମୂଳକ ଜାମିନ୍‌ରେ ଅଭିଯୁକ୍ତଙ୍କୁ ଛଡ଼ାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।