ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇବେ ଲକ୍ଷ ଲକ୍ଷ ଲୋକ !

Oct 24, 2026 - 09:12
ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇବେ ଲକ୍ଷ ଲକ୍ଷ ଲୋକ !

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଫ୍ରାନ୍ସରେ ବଢୁଛି ଅସ୍ଥିରତା। ପ୍ୟାରିସ୍ ସମେତ ଅନେକ ସହରରେ ତେଜୁଛି ଆନ୍ଦୋଳନ।  ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ କଡ଼ା ଚେତାବନୀ ସତ୍ତ୍ବେ ଉଗ୍ର ହେବାରେ ଲାଗିଛି ଆନ୍ଦୋଳନ। ଉଗ୍ରବାମବାଦୀ ଓ ଦେଶଦ୍ରୋହୀ ଶକ୍ତି ଆନ୍ଦୋଳନରେ ସାମିଲ ହେଉଛନ୍ତି ବୋଲି କହିଛନ୍ତି ମାକ୍ରନ। ବିଭିନ୍ନ ଗୁଇନ୍ଦା ବିଭାଗ ମୁଖ୍ୟମାନଙ୍କ ସହ ସେ ଆଲୋଚନା କରିଥିଲେ ବି ସ୍ଥିତିରେ ଆସୁନି ସୁଧାର। ତେଣେ ଆଜି ଫ୍ରାନ୍ସର ଦ୍ବିତୀୟ ବୃହତ୍ତମ ସହର ଲିୟନରେ ବଡ଼ ଧରଣର ବିକ୍ଷୋଭ କରାଯିବ। ଏହି ବିକ୍ଷୋଭକୁ ନିଷିଦ୍ଧ କରାଯାଇଥିଲେ ବି ଆନ୍ଦୋଳନକାରୀମାନେ ଏହାକୁ ମାନିବେ ନାହିଁ ବୋଲି ସୂଚନା ମିଳିଛି। ଏହି ଆନ୍ଦୋଳନର ଡାକରା ଦେଇଛି ଫ୍ରାନ୍ସର ପ୍ରମୁଖ ଛାତ୍ର ସଂଗଠନ UNEF। ଏହି ସଂଗଠନ  ସହ ଅନେକ ରାଜନୈତିକ ଦଳ ଓ ସଂଗଠନ ମଧ୍ୟ ସାମିଲ ହେବା ସମ୍ଭାବନା ରହିଛି। ଲକ୍ଷ ଲକ୍ଷ ଲୋକ ଏହି ପ୍ରଦର୍ଶନରେ ସାମିଲ ହେବାର ସମ୍ଭାବନା ରହିଛି ।

ସେପଟେ ପ୍ରତିବାଦୀ ଯୁବକ ଏବଂ ଶ୍ରମିକ ସଂଗଠନଗୁଡିକ ଏହି ସପ୍ତାହନ୍ତରେ ପୁଣିଥରେ ରାସ୍ତାକୁ ଓହ୍ଳାଇବାକୁ ଯୋଜନା କରିଛନ୍ତି । ଆଉ ପ୍ୟାରିସର ଏକ କୋର୍ଟ ପୂର୍ବରୁ ପୋଲିସ ଦ୍ବାରା ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଇ ଦେଇଛନ୍ତି ଏବଂ ଯୁବବର୍ଗଙ୍କୁ ପ୍ରଦର୍ଶନ ପାଇଁ ଅନୁମତି ଦେଇଛନ୍ତି । ଏନେଇ ଫ୍ରାନ୍ସର ଗୃହମନ୍ତ୍ରୀ ଲରେଣ୍ଟ ନୁନେଜ କହିଛନ୍ତି ଯେ, କର୍ତ୍ତୃପକ୍ଷମାନେ ମୌଳବାଦୀ-ବାମପନ୍ଥୀ ଗୋଷ୍ଠୀଗୁଡିକ ଦ୍ବାରା ଅନଲାଇନରେ ପଠାଯାଇଥିବା ଅନେକ ବାର୍ତ୍ତା ଚିହ୍ନଟ କରିଛନ୍ତି । ଯେଉଁଥିରେ କର୍ମୀମାନଙ୍କୁ ସାର୍ବଜନୀନ କୋଠାଗୁଡିକୁ ଟାର୍ଗେଟ କରିବାକୁ ଉସକାଯାଉଛି ।

ଦେଶରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବା, ଅରାଜକତା, ବେକାରୀ, ଦରବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ଗତ ୧୭ ତାରିଖଠାରୁ ଜଳୁଛି ଫ୍ରାନ୍ସ। ଶହ ଶହ ଦୋକାନରେ ନିଆଁ ଲଗାଇଦେଉଛନ୍ତି ଆନ୍ଦୋଳନକକାର। ସ୍ଥିତି ନିୟନ୍ତ୍ରଣ ଲାଗି ୭୦ ହଜାରରୁ ଅଧିକ ପୋଲିସ ମୁତୟନ କରାଯାଇଛି। ପ୍ରଦର୍ଶନ ପୂର୍ବରୁ ପ୍ୟାରିସ ପ୍ରଶାସନ ରାସ୍ତାରୁ ଅଳିଆ ଡବା, ବ୍ୟାରିକେଡ ଏବଂ ନିର୍ମାଣ ସାମଗ୍ରୀଗୁଡିକୁ ହଟାଇବାକୁ ନିଷ୍ପତ୍ତି ନେଇଛି, ଯାହାଦ୍ବାରା ସେଗୁଡିକୁ ହିଂସା କିମ୍ବା ଭଙ୍ଗାରୁଜା ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ । ଏହାସହ ପ୍ରତିବାଦକୁ ଦୃଷ୍ଟିରେ ରଖି ଶନିବାର ବିଶ୍ବ ପ୍ରସିଦ୍ଧ ଲୁଭ୍ର, ଓରସେ ଏବଂ ଓରେଙ୍ଗେରୀ  ସଂଗ୍ରହାଳୟ ସମେତ ପ୍ୟାରିସର ଅନେକ ପ୍ରମୁଖ ପର୍ଯ୍ୟଟନସ୍ଥଳକୁ ବନ୍ଦ ରଖାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।