ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

Sep 16, 2026 - 15:32
ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ,୧୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି ପରିବାରର ଦୁଇ ଜଣଙ୍କ ଜୀବନ ଚାଲିଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।
ପଦମପୁର ପଞ୍ଚାୟତ ଅନ୍ତର୍ଗତ ପଣ୍ଡା ସାହିର ଲିପୁ ସାହୁ (୧୯) ଚାଷଜମିରେ କାମ କରୁଥିବା ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଏଥିରେ ସେ ଗୁରୁତର ହୋଇ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେହିପରି କଣ୍ଟିପାଳ ପଞ୍ଚାୟତ ଅଞ୍ଚଳର ସବିତା ବାରିକ (୫୦) ନିଜ ବାଡ଼ିକୁ ଯାଉଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ତାଙ୍କୁ ମଧ୍ୟ ପରିବାର ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା।
ଚିକିତ୍ସାଳୟରେ ଡାକ୍ତର ଉଭୟ ଲିପୁ ସାହୁ ଓ ସବିତା ବାରିକଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ବଜ୍ରପାତ ଭଳି ଅଚାନକ ପ୍ରାକୃତିକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।