ବଡ଼ କଥା କହିଦେଲେ ରାହୁଲ, ଏହି କାରଣ ପାଇଁ ରାତିରେ ଶୋଇପାରୁ ନାହାନ୍ତି ମୋଦି-ଶାହା! ଚାରିଆଡ଼େ ଚର୍ଚ୍ଚା
ନୂଆଦିଲ୍ଲୀ,୧୮।୧୦: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ଗୋଆର ମଡଗାଓଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାହୁଲ ନିର୍ବାଚନ ବ୍ୟବସ୍ଥା ଓ ଦେଶର ଶୀର୍ଷ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଭୋଟ୍ ଚୋରି ଅଭିଯୋଗକୁ ନେଇ ସରକାର ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଭୟ କରୁଥିବା ମଧ୍ୟ ସେ ଦାବି କରିଛନ୍ତି।
ମଡଗାଓଁ କ୍ରିକେଟ୍ କ୍ଲବ୍ ପଡ଼ିଆରେ କର୍ମୀମାନଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, “ଜ୍ଞାନେଶ କୁମାର ଭୋଟ୍ ଚୋରିକୁ କାର୍ଯ୍ୟକାରୀ କରୁଛନ୍ତି, ଅମିତ ଶାହ ଏହାକୁ ପରିଚାଳନା କରୁଛନ୍ତି ଏବଂ ନରେନ୍ଦ୍ର ମୋଦି ପରଦା ପଛରେ ରହି ପୂରା ଯୋଜନା ପ୍ରସ୍ତୁତ କରୁଛନ୍ତି।” ବର୍ତ୍ତମାନ ସେ ୪୫ରୁ ଅଧିକ ମାନହାନି ମାମଲାର ସମ୍ମୁଖୀନ ହେଉଛନ୍ତି । ଅମିତ ଶାହା, ନରେନ୍ଦ୍ର ମୋଦି ଓ ଅନ୍ୟମାନେ ତାଙ୍କ ବିରୋଧରେ ଏହି ମାମଲାଗୁଡ଼ିକ ରୁଜୁ କରିଛନ୍ତି।
ରାହୁଲ କହିଛନ୍ତି, “ଏତେ ମାମଲା ସତ୍ତ୍ୱେ ମୁଁ ପ୍ରତ୍ୟେକ ସୁଯୋଗରେ କହୁଛି ଯେ ନରେନ୍ଦ୍ର ମୋଦି ଭୋଟ୍ ଚୋରି କରୁଛନ୍ତି । ତଥାପି ଏହି ନିର୍ଦ୍ଦିଷ୍ଟ ଅଭିଯୋଗ ପାଇଁ ମୋ ବିରୋଧରେ ନୂଆ ମାମଲା ରୁଜୁ ହୋଇନାହିଁ । ଏହାର କାରଣ ହେଉଛି, ସେମାନେ ଭୟ କରୁଛନ୍ତି ଯେ ମାମଲା କୋର୍ଟକୁ ଗଲେ ଭୋଟ୍ ଚୋରିକୁ ନେଇ ଏକ ପୂର୍ଣ୍ଣାଙ୍ଗ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ, ଯେଉଁଥିରେ ସେମାନେ ନିଜେ ଫସିଯିବେ।”
ନିର୍ବାଚନ ବ୍ୟବସ୍ଥାକୁ ନେଇ ନିଜର ଆକ୍ରମଣ ଜାରି ରଖି ରାହୁଲ କହିଛନ୍ତି, “ଦିଲ୍ଲୀରେ ଜ୍ଞାନେଶ କୁମାର ନାମକ ଜଣେ ବ୍ୟକ୍ତି ଅଛନ୍ତି। ସେ ରାତିରେ ଶୋଇପାରୁନାହାନ୍ତି, ତାଙ୍କୁ ଶାନ୍ତି ମିଳୁନାହିଁ। ମୋଦି ଓ ଅମିତ ଶାହଙ୍କୁ ମଧ୍ୟ ଶାନ୍ତି ମିଳୁନାହିଁ । ସେମାନେ ଜାଣନ୍ତି ଯେ କଂଗ୍ରେସ ଦଳ ଦିନେ ନା ଦିନେ ସେମାନଙ୍କୁ ଜବାବ ମାଗିବ ଏବଂ ନ୍ୟାୟ ସୁନିଶ୍ଚିତ କରିବ।”
କଂଗ୍ରେସ କର୍ମୀଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି, “ଆମେ ସମ୍ବିଧାନର ରକ୍ଷକ। ଏହା ଆମର ପବିତ୍ର କର୍ତ୍ତବ୍ୟ। ଭୋଟ୍ ଚୋରି କରି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରିଛନ୍ତି ଏବଂ ଆମେ ଏହାକୁ ଗ୍ରହଣ କରିବୁ ନାହିଁ। ନରେନ୍ଦ୍ର ମୋଦି, ଅମିତ ଶାହା ଓ ଜ୍ଞାନେଶ କୁମାରଙ୍କୁ ନ୍ୟାୟର ସାମ୍ନା କରିବାକୁ ପଡ଼ିବ ଏବଂ ନିଜ କର୍ମର ଫଳ ଭୋଗିବାକୁ ହେବ।”
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।