ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍ ବିନା ଆୟୁଷ୍ମାନ୍ ଅପରେଶନ ମନା
ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆୟୁଷ୍ମାନ କାର୍ଡକୁ ନେଇ ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯେଉଁ ଘରୋଇ ହସ୍ପିଟାଲରେ ଆଇସିୟୁ ସହ ଭେଣ୍ଟିଲେଟର ନ ଥିବ, ସେଠାରେ କାର୍ଡରେ ଅପରେଶନ ହୋଇପାରିବ ନାହିଁ । ଏପରିକି ଆୟୁଷ୍ମାନ ଯୋଜନା ଅଧୀନରେ ହେଉଥିବା ସର୍ଜରି ପାଇଁ ଆର୍ଥିକ ପ୍ୟାକେଜ ମିଳିବ ନାହିଁ, କିମ୍ବା ଆୟୁଷ୍ମାନ ପୋର୍ଟାଲ କାମ କରିବ ନାହିଁ । ତେଣୁ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଆୟୁଷ୍ମାନ କାର୍ଡ ଲାଗୁଥିବା ଘରୋଇ ହସ୍ପିଟାଲଗୁଡିକ ନିଜର ଏହି ସୁବିଧା ଅଛି କି ନାହିଁ ତାହା ଆୟୁଷ୍ମାନ ଭାରତ ପୋର୍ଟାଲରେ ଅପଲୋଡ୍ କରିବେ। ନଚେତ ନଭେମ୍ବର ପହିଲାରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆୟୁଷ୍ମାନ ସୁବିଧାରୁ ସମ୍ପୃକ୍ତ ହସ୍ପିଟାଲକୁ ବାଦ୍ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ବିଭାଗର ଏଭଳି ନିର୍ଦ୍ଦେଶନାମା ପରେ ଘରୋଇ ମେଡିକାଲ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ କମ୍ ସମୟ ଭିତରେ ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ଅସମ୍ଭବ ବୋଲି କହିଛି। ଏଥିସହ ରୋଗୀ ଓ ସମ୍ପର୍କୀୟ ମଧ୍ୟ ଚିକିତ୍ସା ସେବାରୁ ବଞ୍ଚିତ ହେବା ଆଶଙ୍କା କରାଯାଉଛି। ଆୟୁଷ୍ମାନ ଭାରତ ପିଏମ୍ଜେଏଓ୍ବାଇ ଏବଂ ଜିଜେଏଓ୍ବାଇ ଯୋଜନାରେ ସର୍ଜରି କରୁଥିବା ହସ୍ପିଟାଲ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ଫଳରେ କେତେକ ଘରୋଇ ହସ୍ପିଟାଲ ଏବେ ଅକଳରେ ପଡ଼ି ଅଳ୍ପ ସମୟ ମଧ୍ୟରେ ଭିତ୍ତିଭୂମି ଛିଡ଼ା କରାଇବା ଅସମ୍ଭବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଅନେକ ସମୟରେ ନିର୍ଦ୍ଦିଷ୍ଟ ସର୍ଜରି ପାଇଁ ଆବଶ୍ୟକ ଆଇସିୟୁ କିମ୍ବା ପୋଷ୍ଟ-ଅପରେଟିଭ ଯତ୍ନ ବ୍ୟବସ୍ଥା ଜରୁରୀ। କାରଣ ଅସ୍ତ୍ରୋପଚାର ପରେ କେଉଁ ରୋଗୀଙ୍କ ଶ୍ୱାସକ୍ରିୟାରେ ସମସ୍ୟା ହୋଇପାରେ ତ କାହାର ରକ୍ତଚାପ ହ୍ରାସ ପାଇପାରେ। ବେଳେବେଳେ ଅତ୍ୟଧିକ ରକ୍ତସ୍ରାବର ଆଶଙ୍କା ବି ଥାଏ। କିମ୍ବା ହୃଦ୍ରୋଗଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ଆବଶ୍ୟକ ଭିତ୍ତିଭୂମି, ଚିକିତ୍ସା ଉପକରଣ ଓ ଅପରେଶନ ପରବର୍ତ୍ତୀ ଆଇସିୟୁ ଯତ୍ନ ବ୍ୟବସ୍ଥା ଜରୁରୀ। ତେବେ ଏକାଧିକ ଘରୋଇ ହସ୍ପିଟାଲରେ ଏହି ସୁବିଧା ନ ଥାଇ ମଧ୍ୟ ଅପରେଶନ କରାଯାଉଛି। ଏହାଦ୍ୱାରା ରୋଗୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଏହାକୁ ରୋକିବା ପାଇଁ ବିଭାଗ ଏଭଳି ପଦକ୍ଷେପ ନେଇଥିବା ଜଣେ ଅଧିକାରୀ କହିଛନ୍ତି। ରାଜ୍ୟରେ ଏବେ ପ୍ରାୟ ୮ଶହ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ ଯୋଜନା କାର୍ଯ୍ୟ କରୁଥିବାବେଳେ ଅନେକ ହସ୍ପିଟାଲରେ ଉପରୋକ୍ତ ବ୍ୟବସ୍ଥା ନ ଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।