ବନ୍ଦେ ମାତରମ୍ରେ ଗୁଞ୍ଜିଲା ଲାଲକିଲ୍ଲା, ବିକଶିତ ଭାରତର ଲକ୍ଷ୍ୟ ଦେଲେ ମୋଦୀ
ବିକାଶର ଜୟଯାତ୍ରା କରିଚାଲିଛି ଭାରତ। ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ଭାରତ ନିଜକୁ ସମର୍ଥ କରାଇଛି। ଦେଶ ଏକ ଶିଳ୍ପୋନ୍ନତ ରାଷ୍ଟ୍ରରେ ପରିଣତ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଐତିହାସିକ ଲାଲକିଲ୍ଲା ଉପରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି- ଗତ ୧୨ ବର୍ଷରେ ଭାରତ ଅନେକ କ୍ଷେତ୍ରରେ ବିକାଶ ଲାଭ କରିଛି। ୧୪୦ କୋଟି ଭାରତବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇଛି। ଏହି ସମୟ କାଳ ମଧ୍ୟରେ ଭାରତର ଅଭିବୃଦ୍ଧି ହାର ଯଥେଷ୍ଟ ବୃଦ୍ଧି ପାଇଛି। ପ୍ରତିରକ୍ଷା ଉତ୍ପାଦନ ହାର ୪ ଗୁଣ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ହାର ୭ ଗୁଣ ବୃଦ୍ଧି ପାଇଛି। ଆଧୁନିକ ରେଳବାଇ କୋଚ ଉତ୍ପାଦନ ହାର ୨୧ଗୁଣ ବୃଦ୍ଧି ପାଇଛି। ସେହିପରି ମୋବାଇଲ ଉତ୍ପାଦନ ହାର ୩୩ ଗୁଣ ବୃଦ୍ଧି ପାଇଛି। ସେ କହିଛନ୍ତି- ଜାତୀୟ ଶିକ୍ଷାନୀତି କରିବାରେ ସରକାର ସଫଳ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ମାଗଣା ଅନଲାଇନ କୋଚିଂ ବ୍ୟବସ୍ଥା ସରକାର କରିବେ। ଦେଶରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ହେଲେ ବିପନ୍ନଙ୍କ ନିକଟରେ ଦେଶବାସୀ ଠିଆ ହୋଇଛନ୍ତି। ବୀର ସଂଗ୍ରାମୀଙ୍କ ନିକଟରେ ଦେଶବାସୀ କୃତଜ୍ଞ। ଭାରତୀୟମାନେ ବଡ଼ ସ୍ବପ୍ନ ଦେଖନ୍ତି। ସେସବୁକୁ ସାକାର କରିବା ଲାଗି ବଡ଼ ଆଭିମୁଖ୍ୟ ପୋଷଣ କରନ୍ତି। ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବାକୁ ଆହ୍ବାନ ଦେଇଛନ୍ତି ମୋଦୀ। ଗତ ୧୨ ବର୍ଷରେ ଭାରତ ଏକ ନୂଆ ଶକ୍ତିରେ ପରିଣତ ହୋଇଛି। ଡିଜିଟାଲ ଯାତ୍ରାରେ ଭାରତ ଯଥେଷ୍ଟ ଆଗେଇଛି। ଡିଜିଟାଲ ଟ୍ରାଞ୍ଜାକ୍ସନ ୬ ଗୁଣ ବଢ଼ିଛି। ଅର୍ଥନୀତି ସହ ଅନେକ କ୍ଷେତ୍ରରେ ଭାରତ ବିକଶିତ ଲାଭ କରୁଛି। ଘରେ ଘରେ ପାଇପ ପାଣି, ଗ୍ୟାସ ସଂଯୋଗ ଦିଆଯାଇଛି। ଆତ୍ମନିର୍ଭର ଭାରତ ସରକାରଙ୍କ ମୂଳ ଲକ୍ଷ୍ୟ। ଭୋକାଲ ଫର ଲୋକାଲ ଦିଗରେ ଭାରତ ଯଥେଷ୍ଟ ଆଗେଇଛି ବୋଲି କହିଛନ୍ତି ମୋଦୀ। ଦେଶରେ ସାର, ପେଟ୍ରୋଲ, ୟୁରିଆ ପରି ସମସ୍ୟା ସୃଷ୍ଟି ହୋଇଛି। ମାତ୍ର ସମସ୍ତ ସଙ୍କଟକୁ ସଫଳତାର ସହ ଟାଳିଦିଆଯାଇଛି। ୮୦ତମ ସ୍ବାଧୀନତା ଦିବସରେ ଆୟୋଜିତ ଜାତୀୟସ୍ତରୀୟ ପରେଡ ଉତ୍ସବରେ ଦେଶ ଦେଖାଇଛି ଦମ୍। ପ୍ରଥମ ଥର ଲାଗି ସ୍ବାଧୀନତା ଦିବସରେ ଗାନ କରାଯାଇଛି ବନ୍ଦେ ମାତରଂ। ଚଳିତ ବର୍ଷର ଥିମ ରହିଛି ବନ୍ଦେ ମାତରଂର ୧୫୦ ବର୍ଷ। କଡା ସୁରକ୍ଷା ବଳୟରେ ରହିଛି ଦିଲ୍ଲୀ। ଦେଶର ପ୍ରାୟ ୫ ହଜାର ଅତିଥି ଉତ୍ସବରେ ସାମିଲ ହୋଇଛନ୍ତି। ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ରାଜଘାଟ ଯାଇ ସ୍ମୃତିତର୍ପଣ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।