ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ
ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଗତ ରବିବାର ଓ ସୋମବାର ହାତୀ ନଦୀରେ ବନ୍ୟା ଆସିଥିଲା। ଏଥିଯୋଗୁ ଜୁନାଗଡ଼ ବ୍ଲକର ହାତୀନଦୀ ତଳଭାଗରେ ଥିବା ଯମୁନାବାହାଲ, ଚିଚୈଗୁଡା, ବାଗଡୁଙ୍ଗରୀ, ମିଚାଗାଁ, ମସିଗାଁ, ସାହାଜକନା, ତଳମଲା, ପାଣିଗାଁ, ଚିଙ୍ଗୁଡିସର, ମୁର୍ଲାପଦର, ଭଇଁରୀଗୁଡା, କୁରୁଗୁଡା ଓ ଉପରେ ଭାଗରେ ଥିବା କଲମପୁର ବ୍ଲକର ବାଲିଛଡ଼ା, କର୍ମେଲି, ପରୁଆଗୁଡା, ମାଟିଖାଲ, ବଙ୍କାପଲା, ଟେମରା ପ୍ରଭୃତି ଗ୍ରାମର ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇଥିଲା। ଏବେ ବନ୍ୟା ଛାଡିବା ପରେ ସେଥିମଧ୍ୟରୁ ଅନେକ ଚାଷଜମି ବାଲିଚର ହେବା ସହ ଧାନ ଫସଲ ପଚିଯାଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେହିପରି କିଛି ଜମିରେ ଏବେ ମଧ୍ୟ ବନ୍ୟାପାଣି ଜମିରହି ପୋଖରୀ ଭଳି ଦୃଶ୍ୟ ହେଉଛି।
ପ୍ରକାଶ ଯେ, କିଛିଦିନ ତଳେ ଏହିସବୁ ଅଞ୍ଚଳର ଚାଷ ଜମିରେ ଚାଷୀମାନେ ଧାନ ରୋଇବା ସହ ପ୍ରଥମ ପର୍ଯ୍ୟାୟ ସାର ମଧ୍ୟ ଦେଇଥିଲେ। ଧାନଫସଲ ଭଲ ହେବ ଓ ସେଥିରୁ ଦୁଇପଇସା ପାଇ ଋଣ ଶୁଝିବା ସହ ଅନ୍ୟାନ୍ୟ କାମ କରିବା ନେଇ ଅନେକ ଚାଷୀ ସ୍ବପ୍ନ ଦେଖିଥିଲେ। ହେଲେ ହଠାତ୍ ବନ୍ୟା ଆସି ଚାଷୀଙ୍କ ସ୍ବପ୍ନକୁ ଉଜାଡ଼ି ଦେଇଛି। ଫଳରେ ଋଣ କରି ଚାଷ କରିଥିବା ଚାଷୀ ଏବେ ଜମିର ଅବସ୍ଥାକୁ ଦେଖି ଦୁଃଖରେ ଭାଙ୍ଗି ପଡିଛି। ଅନ୍ୟପକ୍ଷରେ, ରାଜସ୍ବ ବିଭାଗ କର୍ମଚାରୀ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଯୁଗ୍ମ ଭାବରେ ବନ୍ୟାରେ କ୍ଷୟକ୍ଷତି ଘଟିଥିବା ଚାଷଜମି ଆକଳନ କରିବା ପ୍ରକିୟା ଆରମ୍ଭ କରିଥିବା ଜଣାପଡିଛି। କିଛି ସ୍ଥାନରେ ସେମାନେ ପହଞ୍ଚତ୍ଥିବାବେଳେ ଅନେକ ସ୍ଥାନରେ ପହଞ୍ଚତ୍ପାରି ନ ଥିବା ଚାଷୀ ଅଭିଯୋଗ କରିଛନ୍ତି। ଶୀଘ୍ର କ୍ଷତିଗ୍ରସ୍ତ ଚାଷଜମି ଚିହ୍ନଟ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି।
ନେଇ ଅତିରିକ୍ତ ଜିଲାପାଳ (ରାଜସ୍ବ) ବୈତୁରା ଦୀପଙ୍କୁ ପଚାରିବାରୁ ବନ୍ୟାରେ କ୍ଷୟକ୍ଷତି ଆକଳନ କରିବା ପାଇଁ ତୃଣମୂଳ ସ୍ତରରେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ ଯୁଗ୍ମ ଭାବରେ ତଦନ୍ତ ଆରମ୍ଭ ହୋଇଛି। ସେଠାରୁ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।