ବନ୍ୟା ବିପନ୍ନଙ୍କୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ସହାୟତା:୪ ଲକ୍ଷ ୨୯ ହଜାର ୭୮୨ ପରିବାର ପାଇବେ ସହାୟତା
ଛତ୍ରପୁର, ଦିଲ୍ଲୀପ ସାମଲ, ୬/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ପ୍ୟାକେଜ୍ ଅନୁଯାୟୀ, ଯୋଗ୍ୟ ରାସନ କାର୍ଡଧାରୀ ପରିବାରଙ୍କୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ। ଏଥିପାଇଁ ଗଞ୍ଜାମ ଜିଲ୍ଲାକୁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କାର ଅନୁଦାନ ମିଳିଛି। ଜିଲ୍ଲାର ମୋଟ ୪ ଲକ୍ଷ ୨୯ ହଜାର ୭୮୨ଟି ଯୋଗ୍ୟ ପରିବାର ଏହି ସହାୟତା ପାଇବେ।
ଏହି କ୍ରମରେ ଶୁକ୍ରବାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମହାନାଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବନ୍ୟା ପ୍ରଭାବିତ ରାସନ କାର୍ଡଧାରୀ ପରିବାରଙ୍କୁ ୫୦ କେଜି ଲେଖାଏଁ ଚାଉଳ ବଣ୍ଟନ କରାଯାଇଛି। ସରପଞ୍ଚ ରବୀନ୍ଦ୍ର ରାଉଳଙ୍କ ଉପସ୍ଥିତିରେ ଏହି ବଣ୍ଟନ କାର୍ଯ୍ୟ ଚାଲିଥିଲା। ପଞ୍ଚାୟତରେ ଏକ ହଜାରରୁ ଊର୍ଦ୍ଧ୍ୱ ପ୍ରଭାବିତ ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯିବ।
ଅନ୍ୟପକ୍ଷରେ, ଯୋଗ୍ୟ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ୨୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଏହି ସହାୟତା ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସୁବ୍ୟବସ୍ଥିତ କରିବା ଉପରେ ଗଞ୍ଜାମ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଅପହଞ୍ଚ ଅଞ୍ଚଳରେ ମଧ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚି ଚାଉଳ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ବନ୍ୟା ଯୋଗୁଁ ଜୀବନଜୀବିକା ପ୍ରଭାବିତ ହୋଇଥିବା ପରିବାରଗୁଡ଼ିକୁ ଏହି ସହାୟତା ମିଳିବା ଦ୍ୱାରା ସେମାନେ କିଛି ମାତ୍ରାରେ ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।