ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

Sep 29, 2026 - 16:56
ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ ମାତ୍ର ଝିଅ l ସେ ଏବେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି l ଏନ୍‌ଏସି କାର୍ଯ୍ୟାଳୟରେ ଅସ୍ଥାୟୀ ସୁଇପର ଭାବେ କାମ କରୁଛନ୍ତି ସନ୍ତୋଷୀ l ସେଥିରୁ ଯାହା ମିଳେ ସେଥିରେ ଝିଅର ପାଠ ପଢା ଏବଂ ଘର ଚଳାଇବା ବହୁତ କଷ୍ଟକର ବୋଲି କୁହନ୍ତି ସନ୍ତୋଷୀ l ଅଭାବ ଅନଟନ ମଧ୍ୟରେ ଘର ଚଳାଇବା କଷ୍ଟ କର ହୋଇପଡୁଥିବା ବେଳେ ଘର କରିବା ତାଙ୍କୁ ପାଇଁ ସାତ ସପନ ହୋଇଛି। ସାହିର ଶେଷ ଭାଗରେ ଛୋଟିଆ କୁଡ଼ିଆ ଉପରେ ଭଙ୍ଗା ଟିଣ ଛପର କରି ରୁହନ୍ତି ସନ୍ତୋଷୀ ଓ ତାଙ୍କ ଝିଅ l ଗତ ବାତ୍ୟାରେ ବର୍ଷା, ପବନରେ ଘରର ଟିଣ ଛପର ଉଡି ଯାଇଥିଲା। ଫଳରେ ସେ ଅସହାୟ ହୋଇପଡିଥିଲେ।

ଗଞ୍ଜାମ ସହରର ଯୁବ ସ୍ବେଛାସେବୀ ତଥା ଏନ୍‌ଏସି ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ଏନେଇ ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଙ୍ଗଳବାର ସନ୍ତୋଷୀଙ୍କୁ ପଲିଥିନ ପ୍ରଦାନ କରାଯାଇଛି l

ଏଥିସହ ୱାର୍ଡ ନଂ. ୫ ମେଡିକାଲ ରୋଡ଼ ବସ୍ତିର ଛଅ ପରିବାର ମଧ୍ୟ ଅତି ଦୟନୀୟ ଅବସ୍ଥାରେ ଚଲୁଥିବା ବେଳେ ବାତ୍ୟା ପ୍ରଭାବରେ ସେମାନେ ପର ଘରେ ଆଶ୍ରୟ ନେଇଥିବା ତହସିଲଦାର ମିଶ୍ରଙ୍କୁ ଅବଗତ କରିଥିଲେ ସ୍ବେଚ୍ଛାସେବୀ ପାଢ଼ୀ l ପଲିଥିନ ମିଳିବା ପରେ ପାଢ଼ୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସନ୍ତୋଷୀ ଓ ତାଙ୍କ ପରିବାର l ଆଗାମୀ ଦିନରେ ବସ୍ତିରେ ଦୟନୀୟ ଅବସ୍ଥାରେ ରହୁଥିବା ହରିଜନ ପରିବାରଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଏବଂ ଏନଏସି ପ୍ରଶାସନ ପକ୍ଷରୁ ଆବାସ ଯୋଜନା ଘର ଯୋଗାଇ ଦେବାକୁ ସଭାପତି ପାଢ଼ୀ ଦାବୀ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।