ବର୍ଷାର ଦେଖା ନାହିଁ। ଚାଷ ଜମି ଫାଟି ଆଁ କରିଛି।
ନନ୍ଦିଘୋଷ ବ୍ୟୁରୋ : ବର୍ଷାର ଦେଖା ନାହିଁ। ଚାଷ ଜମି ଫାଟି ଆଁ କରିଛି। ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏ ଦୃଶ୍ୟ ହେଉଛି କୋରାପୁଟ ପଟାଙ୍ଗୀ ବ୍ଲକର ପେଟୁର ଓ କାନ୍ଦିଲି ଗାଁର। ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି । କେଉଁଠି ଧାନ ଗଛ ଶୁଖିଗଲାଣି, ତ ଆଉ କେଉଁଠି ଚାଷ ହୋଇପାରିନାହିଁ। ଜମିରେ ଝାଳ ବୁହାଇ ବିହନ ବୁଣିଲା, ରୁଆ ପକାଇଲା ଚାଷୀ। ଭାବିଥିଲା ଫସଲ ଅମଳ ହେବ। ପରିବାର ମୁହଁରେ ହସ ଫୁଟିବ। ହେଲେ ଏବେ ବର୍ଷା ଅଭାବରେ ତା’ର ସବୁ ଆଶା ଧୂଳିସାତ୍ ହେବାକୁ ବସିଛି।
ଏହି ଅଞ୍ଚଳର ପ୍ରାୟ ୧୦୦ ହେକ୍ଟର ଜମିରେ ଚାଷ ହୋଇଥାଏ। ଅଧିକାଂଶ ପରିବାରର ଧାନ ଚାଷ ଉପରେ ନିର୍ଭରଶୀଳ। ବର୍ଷା ନହେବାରୁ ରୁଆ ରୋଇ ହେଲା ନାହିଁ। ପାଣି ନଥିବାରୁ ଧାନ ଶୁଖିଗଲାଣି। ଆଖି ଆଗରେ ନଷ୍ଟ ହେଉଛି ବର୍ଷକର ଆହାର। ଯାହାକୁ ନେଇ ଚିନ୍ତାରେ ପଡିଛି ଚଷାପୁଅ।
କଥାରେ ଅଛି ଚାଷ ସଅଳ , ବଣିଜ ମଠ। ଚଷାପୁଅ ତତ୍ପର ହେଲେ କଣ ହେବ ଯଦି ବର୍ଷାର ଦେଖା ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।