ବଲିଉଡ ଡେବ୍ୟୁ କରିବେ ମଲାଇକା-ଅରବାଜଙ୍କ ପୁଅ ଅରହାନ୍‌, ଜବରଦସ୍ତ ଆକ୍ସନ ସିନେମାରେ…

Sep 03, 2026 - 21:34
ବଲିଉଡ ଡେବ୍ୟୁ କରିବେ ମଲାଇକା-ଅରବାଜଙ୍କ ପୁଅ ଅରହାନ୍‌, ଜବରଦସ୍ତ ଆକ୍ସନ ସିନେମାରେ…
ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ ହୋଇଛି। ତାଙ୍କର ପ୍ରଥମ ଫିଲ୍ମ ଏକ ଜବରଦସ୍ତ ଆକ୍ସନ-ପ୍ୟାକ୍ଡ ସିନେମା ହେବାକୁ ଯାଉଛି।
ରିପୋର୍ଟ  ଅନୁସାରେ, ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିବେ  ଅନିରୁଦ୍ଧ ଆୟର, ଯିଏ ପୂର୍ବରୁ ଚର୍ଚ୍ଚିତ ଫିଲ୍ମ ‘ଏନ୍‌ ଆକ୍ସନ ହିରୋ’ର ନିର୍ଦ୍ଦେଶନା ଦେଇସାରିଛନ୍ତି। ଏହି ଫିଲ୍ମଟି ଏକ ବଡ଼ ସ୍କେଲରେ ନିର୍ମାଣ କରାଯିବ ଏବଂ ଏଥିରେ ଜବରଦସ୍ତ ଆକ୍ସନ ଦୃଶ୍ୟ ସବୁ ଦେଖିବାକୁ ମିଳିବ। ଫିଲ୍ମର ସ୍କ୍ରିପ୍ଟ କାମ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ଏହାର ଅନ୍ୟାନ୍ୟ ଷ୍ଟାରକାଷ୍ଟ ଏବଂ କାହାଣୀ ବିଷୟରେ ଆନୁଷ୍ଠାନିକ ଘୋଷଣା କରାଯିବ।
କିଛି ଦିନ ପୂର୍ବରୁ ଫିଲ୍ମମେକର ବିକ୍ରମ ଫଡନିସ ଇନଷ୍ଟାଗ୍ରାମରେ ଅରହାନଙ୍କ ସହ ଏକ କଳାଧଳା ଫଟୋ ଶେୟାର କରିଥିଲେ। ସୁଟିଂ ସେଟରୁ ଶେୟାର କରାଯାଇଥିବା ଏହି ଫଟୋରେ ଅରହାନ ବେଶ ଗମ୍ଭୀର ରୂପରେ ନଜର ଆସିଥିଲେ। ଫଟୋଟି ଶେୟାର କରି ବିକ୍ରମ କ୍ୟାପସନରେ ଲେଖିଥିଲେ, “କ୍ୟାମେରା ପଛରୁ କ୍ୟାମେରା ସାମ୍ନା ଯାଏ… ତାଙ୍କର ଯାତ୍ରା ଆରମ୍ଭ ହୋଇସାରିଛି।” ଏହି ପୋଷ୍ଟରେ ଅରହାନଙ୍କ ମା’ ମଲାଇକା ମଧ୍ୟ ନିଜର ପ୍ରତିକ୍ରିୟା ଦେଇଥିଲେ, ଯାହା ପରେ ଫ୍ୟାନ୍ସଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଥିଲା।
ବଲିଉଡ ଡେବ୍ୟୁ ପୂର୍ବରୁ ଅରହାନ ଖାନ ପୋଡକାଷ୍ଟ ‘ଡମ୍ବ୍‌ ବିରିୟାନୀ’ (Dumb Biryani) ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ, ଯେଉଁଥିରେ ସେ ଦେବ ରୈୟାନୀ ଏବଂ ଅରୁଷ ବର୍ମାଙ୍କ ସହ କାମ କରିଥିଲେ। ଏହାଛଡ଼ା ବାପା ଅରବାଜ ମଧ୍ୟ ପୂର୍ବରୁ କହିଥିଲେ ଯେ, ଏକ ଭଲ କାହାଣୀ ମିଳିଲେ ସେ ପୁଅଙ୍କୁ ନିଜ ଫିଲ୍ମରେ ଲଞ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି। ଏବେ ଅରହାନଙ୍କ ଆକ୍ସନ ଅବତାରକୁ ବଡ଼ ପରଦାରେ ଦେଖିବା ପାଇଁ ବଲିଉଡ ପ୍ରେମୀ ଏବଂ ତାଙ୍କ ପ୍ରଶଂସକମାନେ ଆଗ୍ରହର ସହ ଅପେକ୍ଷା କରିଛନ୍ତି।
Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।