‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ
ମୁମ୍ବାଇ,୨୭।୯: ବଲିଉଡ୍ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଫିଲ୍ମ ‘ଲଭ୍ ଆଣ୍ଡ ୱାର୍’ରେ ଏକାଠି ନଜର ଆସିବେ । ନିକଟରେ ଫିଲ୍ମର ତିନି ଷ୍ଟାରଙ୍କ ପ୍ରଥମ ଲୁକ୍ ପୋଷ୍ଟର ସାମ୍ନାକୁ ଆସିଥିଲା। ଏହା ପରେ ରଣବୀର, ଆଲିଆ, ବିକି ଓ ଭନ୍ସାଲୀ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଡିନର୍ କରିବାକୁ ପହଞ୍ଚିଥିଲେ ।
ସେଠାରେ ପାପାରାଜିଙ୍କ ସହ ରଣବୀରଙ୍କ ଏକ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ରଣବୀର, ଆଲିଆ, ବିକି ଓ ସଞ୍ଜୟ ଲୀଲା ଭନ୍ସାଲୀଙ୍କୁ ପାପାରାଜି ସ୍ପଟ୍ କରିବା ପରେ ଚାରିଜଣ ଏକାଠି ପୋଜ୍ ଦେଇଥିଲେ। ଫଟୋ ଉଠାଇବା ପରେ ସମସ୍ତେ ନିଜ ଗାଡ଼ି ଆଡ଼କୁ ଯାଉଥିବା ବେଳେ ଜଣେ ପାପାରାଜି ବାରମ୍ବାର ରଣବୀରଙ୍କୁ ଡାକି ଫୁଟେଜ୍ ଦେବାକୁ କହୁଥିଲେ ।
ଏଥିରେ ରଣବୀର ପଛକୁ ବୁଲି ପାପାରାଜିଙ୍କୁ କହିଥିବା ଦେଖାଯାଉଛି ‘ବହୁତ କହୁଛୁ ତୁ।’ ଏହା ପରେ ସେ ଆଲିଆଙ୍କ ସହ ଆଗକୁ ବଢ଼ି ଯାଇଥିଲେ। ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ସଞ୍ଜୟ ଲୀଲା ଭନ୍ସାଲୀଙ୍କ ନିର୍ଦ୍ଦେଶିତ ‘ଲଭ୍ ଆଣ୍ଡ ୱାର୍’ ଏକ ରୋମାଣ୍ଟିକ୍-ୱାର୍ ଫିଲ୍ମ । ଫିଲ୍ମରେ ରଣବୀର ଓ ବିକି କୌଶଲ୍ ଆର୍ମି ଅଫିସରଙ୍କ ଭୂମିକାରେ ନଜର ଆସିବେ ବୋଲି ରିପୋର୍ଟ ରହିଛି। ଏଥିରେ ଆଲିଆ ଭଟ୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।ଏହି ଫିଲ୍ମଟି ୨୦୨୭ ଜାନୁଆରୀ ୨୧ରେ ସିନେମା ହଲ୍କୁ ଆସିବାକୁ ଥିବା ଜଣାପଡ଼ିଛି। ପୂର୍ବରୁ ଏହା ୨୦୨୫ ଡିସେମ୍ବରରେ ରିଲିଜ୍ ହେବାର ଥିଲା, କିନ୍ତୁ ପରେ ରିଲିଜ୍ ତାରିଖ ଘୁଞ୍ଚାଯାଇଥିଲା।
ରଣବୀର କପୁରଙ୍କୁ ‘ଲଭ୍ ଆଣ୍ଡ ୱାର୍’ ପୂର୍ବରୁ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ ପାର୍ଟ ୧’ରେ ଦେଖିବାକୁ ମିଳିବ । ଏଥିରେ ସେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରେ ସାଇ ପଲ୍ଲବୀ, ୟଶ୍, ରବି ଦୁବେ, ଅରୁଣ ଗୋଭିଲ୍ ଓ ସନୀ ଦେଓଲ୍ଙ୍କ ଭଳି କଳାକାର ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳି ଅବସରରେ ରିଲିଜ୍ ହେବାକୁ ଥିବା ରିପୋର୍ଟରେ କୁହାଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।