ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

Oct 10, 2026 - 15:11
ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା  ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର ଏକ ଅଜଣା ବାଇକ୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଆହତ ବୃଦ୍ଧ ଜଣକ ହେଉଛନ୍ତି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଲାଓବାଡ଼ି ଗ୍ରାମର ଅଲେଖ ବେହେରା (୫୫)। ଏହି ଘଟଣାକୁ ନେଇ କ୍ଷତିପୂରଣ ଓ ଚିକିତ୍ସା ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ସୂଚନା ଅନୁଯାୟୀ, ଅଲେଖ କୌଣସି ଜିନିଷ କିଣିବା ପାଇଁ ନିଜ ଗ୍ରାମରୁ ଓଳପୁର ଛକକୁ ଆସିଥିଲେ। ଜିନିଷ କିଣିବା ପରେ ଗ୍ରାମକୁ ଫେରିବା ପାଇଁ ରାସ୍ତାକଡ଼ରେ ଅପେକ୍ଷା କରିଥିବା ବେଳେ ଚିକିଟି ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ଅଜଣା ବାଇକ୍‌ରେ ତିନିଜଣ ବସିଥିବା ଜଣାପଡ଼ିଛି। ବାଇକ୍‌ଟି ପଛପଟୁ ଅଲେଖଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି।

ଏହି ଦୁର୍ଘଟଣାରେ ଅଲେଖଙ୍କ ଦୁଇଟି ଗୋଡ଼ ଭାଙ୍ଗିଯିବା ସହ ସେ ଗୁରୁତର ଆହତ ହୋଇଥିଲେ। ବିଜେଡିର ବରିଷ୍ଠ ନେତା ସୁରେନ୍ଦ୍ର ମଣ୍ଡଳ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରସ୍ଥିତ ବଡ଼ ମେଡିକାଲକୁ ପଠାଯାଇଥିଲା।

ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଓ ଆହତଙ୍କ ଚିକିତ୍ସା ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହାଫଳରେ ଚିକିଟି, ଦିଗପହଣ୍ଡି ଓ ବ୍ରହ୍ମପୁର ମଧ୍ୟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଖବର ପାଇ ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହଁର ଏବଂ କେ. ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ତେବେ ଆହତଙ୍କ ଚିକିତ୍ସା ଓ କ୍ଷତିପୂରଣ ଦାବିରେ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ପରବର୍ତ୍ତୀ ସମୟରେ ତହସିଲଦାରଙ୍କ ଉପସ୍ଥିତିରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।