ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

Sep 08, 2026 - 23:04
ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡ଼ା ଗ୍ରାମରେ ଦାଦା ବଟି ମାଗି ମରଣାନ୍ତକ ଆକ୍ରମଣ ଓ ଟଙ୍କା ଲୁଟ୍ ମାମଲାରେ ପୋଲିସକୁ ମିଳିଛି ଆଉ ଏକ ସଫଳତା। ଘଟଣାରେ ସମ୍ପୃକ୍ତ ଥିବା ତୃତୀୟ ଅଭିଯୁକ୍ତ ଭୋଳି ଓରଫ ଭୋଳା ଶଙ୍କର ବରାଡ଼ଙ୍କୁ ପାଟପୁର ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, ଗତ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ କଙ୍କୋରଡ଼ା ଗ୍ରାମର ହିରୋଜ ସେଠୀ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଗ୍ରାମର ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ପୋଖରୀ ନିକଟରେ ଅଭିଯୁକ୍ତ ଭୋଳା ଶଙ୍କର ଓ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀ ତାଙ୍କୁ ବାଟ ଅଟକାଇ ଗାଳିଗୁଲଜ କରିବା ସହ ଦାଦା ବଟି ମାଗିଥିଲେ। ହିରୋଜ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଘେରି ଯାଇ ସଂଘାତିକ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଏହାସହ ତାଙ୍କ ଶାର୍ଟ ପକେଟ୍‌ରୁ ବଳପୂର୍ବକ ୪,୫୦୦ ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ହିରୋଜ ପାଟପୁର ଥାନାରେ ଏତଲା ଦେବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା (ନଂ. ୨୬୭/୨୬) ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ଏସ.ଆଇ ତ୍ରିନାଥ ଭୋଇ ସୋମବାର ଦିନ ଘଟଣାରେ ସମ୍ପୃକ୍ତ ଦୁଇ ପେସାଦାର ଅପରାଧୀ ରାମଚନ୍ଦ୍ର ସେଠୀ ଓ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ।

ପରେ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟ ଅଭିଯୁକ୍ତ ଭୋଳା ଶଙ୍କର ବରାଡ଼ଙ୍କୁ ଗିରଫ କରାଯାଇ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରାଯାଇଛି। ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌-ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସମୋଟ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।