ବାତ୍ୟା ଆସିବା ଆଗରୁ ସତର୍କ କରିବ କିଏ? ବାତ୍ୟା ପୂର୍ବରୁ ଅଚଳ ସତର୍କ ଯନ୍ତ୍ର
ନନ୍ଦିଘୋଷ ବ୍ୟୁରୋ : ବାତ୍ୟା ଆସିବା ପୂର୍ବରୁ ଉପକୂଳବାସୀଙ୍କୁ ସତର୍କ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ବାତ୍ୟା ପୂର୍ବାନୁମାନ ରାଡାର ଏବେ ଅଚଳ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପରିସରରେ ଥିବା ଏହି ରାଡାର ଦୀର୍ଘ ମାସ ହେଲା କାମ କରୁନଥିବା ଅଭିଯୋଗ ହୋଇଛି। ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ଅସ୍ତରଙ୍ଗ ଉପକୂଳରେ ବାତ୍ୟା ସମୟରେ ସୁରକ୍ଷା ଓ ଆଗୁଆ ସତର୍କ ସୂଚନା ପାଇଁ ଏହି ରାଡାର ଓ ସାଇରନ୍ ବ୍ୟବସ୍ଥା କରାଯାଇଥିଲା। ଫନି, ହୁଡହୁଡ ଓ ୟାସ୍ ଭଳି ବାତ୍ୟା ସମୟରେ ଅସ୍ତରଙ୍ଗ ଉପକୂଳ ପ୍ରଭାବିତ ହୋଇଥିଲା। ତେବେ ଏବେ ବ୍ଲକ ପରିସରରେ ଥିବା ରାଡାରଟି ଅଚଳ ହୋଇ ପଡ଼ିଛି। ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ଯନ୍ତ୍ରାଂଶରେ କଳଙ୍କି ଲାଗିଥିବା ବେଳେ ଏହାର ଦେଖାଶୁଣା ପାଇଁ ଆବଶ୍ୟକ କର୍ମଚାରୀ ନଥିବା ଅଭିଯୋଗ ହୋଇଛି। ଫଳରେ ଲକ୍ଷାଧିକ ଟଙ୍କାର ଏହି ଯନ୍ତ୍ର ଏବେ କେବଳ ଶୋ-ପିସ୍ ପାଲଟିଥିବା କୁହାଯାଉଛି।
ବଙ୍ଗୋପସାଗରରେ ଭବିଷ୍ୟତରେ କୌଣସି ବାତ୍ୟା ସୃଷ୍ଟି ହେଲେ ଅସ୍ତରଙ୍ଗବାସୀଙ୍କୁ ସ୍ଥାନୀୟ ସ୍ତରରେ ଆଗୁଆ ସତର୍କ କରିବା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ରାଡାର ଅଚଳ ହୋଇଥିବାରୁ ମତ୍ସ୍ୟଜୀବୀ ଓ ଉପକୂଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସହ ଚିନ୍ତା ବଢ଼ିଛି। ତୁରନ୍ତ ରାଡାର ଓ ସାଇରନ୍ ବ୍ୟବସ୍ଥାକୁ ସଚଳ କରିବା ସହ ନିୟମିତ ରକ୍ଷଣାବେକ୍ଷଣ କରିବାକୁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।