ବାତ୍ୟା ମୁକାବିଲା ପ୍ରସ୍ତୁତି: ଜିରୋ କାଜୁଆଲିଟି ଲକ୍ଷ୍ୟ
ଭଞ୍ଜନଗର,୨୬।୧୦(ବାବୁଲା ପ୍ରଧାନ):ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଧରାକୋଟ ବ୍ଲକରେ ବିଭିନ୍ନ ବିଭାଗର ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୋମବାର ସମୀକ୍ଷା କରିଥିଲେ। ଏଥିସହ ସେ ଶେରଗଡ଼ ବ୍ଲକର ଟହଁର ଏବଂ ସୋରଡ଼ା ବ୍ଲକର ଅମୃତୁଲୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଉପଲବ୍ଧ ସୁବିଧାସୁଯୋଗ ଓ ବାତ୍ୟା ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ସମୀକ୍ଷା ଓ ପରିଦର୍ଶନ ସମୟରେ ସମ୍ପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀଙ୍କ ସମେତ ଗ୍ରାମାଞ୍ଚଳ ଜଳ ଯୋଗାଣ ଓ ସ୍ବଚ୍ଛତା ବିଭାଗର ଅଧିକାରୀ, ମେଡିକାଲ ଅଧିକାରୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ନିଜ ନିଜ ଦାୟିତ୍ୱକୁ ଠିକ ଭାବେ ଓ ନିଷ୍ଠାର ସହ ସମ୍ପାଦନ କରିବାକୁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେକୌଣସି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ସମସ୍ତ ବିଭାଗ ପୂର୍ଣ୍ଣ ପ୍ରସ୍ତୁତି ସହ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ।
ଶ୍ରୀ ବେହେରା ମାନବ ଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଜନସାଧାରଣଙ୍କ ଧନସମ୍ପତ୍ତିର ସୁରକ୍ଷା ନିମନ୍ତେ ସମସ୍ତ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ବିପଦସଙ୍କୁଳ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସମୟୋଚିତ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଆବଶ୍ୟକୀୟ ସୁବିଧାସୁଯୋଗ ସହ ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବାତ୍ୟା ସମୟରେ ଗର୍ଭବତୀ ଓ ପ୍ରସୂତି ମହିଳା, ବୟସ୍କ ବ୍ୟକ୍ତି, ଶିଶୁ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଉପଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି ବର୍ଗର ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଆବଶ୍ୟକ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇଦେବା ସହ ଜରୁରୀକାଳୀନ ପରିସ୍ଥିତିରେ ହସ୍ପିଟାଲକୁ ନେବା ପାଇଁ ଉପଯୁକ୍ତ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ମେଡିକାଲ ଅଧିକାରୀ ଓ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି, ଗ୍ରାମାଞ୍ଚଳ ଜଳ ଯୋଗାଣ ଓ ସ୍ବଚ୍ଛତା ବିଭାଗର ଅଧିକାରୀମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ପ୍ରଭାବିତ ଅଞ୍ଚଳରେ ନିରାପଦ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା, ଜଳଯୋଗାଣ ବ୍ୟବସ୍ଥାର ସ୍ଥିତି ଯାଞ୍ଚ କରିବା ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ଉପଜିଲାପାଳ ପରାମର୍ଶ ଦେଇଥିଲେ।
ବିଡିଓ ଓ ତହସିଲଦାରଙ୍କୁ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ପରିଚାଳନା ଏବଂ ରିଲିଫ ବ୍ୟବସ୍ଥାର ସମନୱୟ ଦାୟିତ୍ୱ ଠିକ ଭାବେ ତୁଲାଇବାକୁ କୁହାଯାଇଥିବା ବେଳେ ଥାନା ଅଧିକାରୀ ଓ ଅଗ୍ନିଶମ ଅଧିକାରୀଙ୍କୁ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ସଜାଗ ରହିବା ଏବଂ ଆବଶ୍ୟକ ସମୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଆଲୋକ, ପରିମଳ ବ୍ୟବସ୍ଥା ଓ ଆବଶ୍ୟକ ଔଷଧ ମହଜୁଦ ରଖିବା ସହ ଜନସାଧାରଣଙ୍କୁ ବାତ୍ୟା ସମ୍ପର୍କିତ ସୂଚନା ସମୟୋଚିତ ଭାବେ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନ ଘଟେ ଏବଂ ଧନସମ୍ପତ୍ତିର କ୍ଷୟକ୍ଷତିକୁ ସର୍ବନିମ୍ନ କରାଯାଇପାରିବ, ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀ ସତର୍କ ରହି ନିଜ ନିଜ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।