ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

Oct 27, 2026 - 17:13
ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୨୭।୧୦: ଆଜିକାଲି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଅଂଶଧନ କିଣିବା ଏବଂ ଅଧିଗ୍ରହଣ (Acquisition)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବନ୍ଧନ ବ୍ୟାଙ୍କ (Bandhan Bank)କୁ ନେଇ ମଧ୍ୟ ଏକ ଖବର ସାମ୍ନାକୁ ଆସିଛି, ଯାହା ନିବେଶକମାନଙ୍କ ଧ୍ୟାନ ଆକର୍ଷଣ କରିଛି। ରିପୋର୍ଟଗୁଡ଼ିକରେ ଦାବି କରାଯାଇଥିଲା ଯେ ଆବୁଧାବିର ଫାର୍ଷ୍ଟ ଆବୁଧାବି ବ୍ୟାଙ୍କ (FAB) ବନ୍ଧନ ବ୍ୟାଙ୍କରେ ଅଂଶଧନ କିଣିପାରେ। ତେବେ ବନ୍ଧନ ବ୍ୟାଙ୍କ ଏହି ଖବର ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କୌଣସି ପ୍ରକାର ଆଲୋଚନାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି।

ବ୍ୟାଙ୍କ ଏକ୍ସଚେଞ୍ଜ ଫାଇଲିଂ ଜରିଆରେ କହିଛି ଯେ ଫାର୍ଷ୍ଟ ଆବୁଧାବି ବ୍ୟାଙ୍କ ସହିତ ଅଧିଗ୍ରହଣ ନେଇ ତାର କୌଣସି ଆଲୋଚନା ଚାଲିନାହିଁ। ଏଥିସହ ବ୍ୟାଙ୍କ ସମ୍ପୃକ୍ତ ରିପୋର୍ଟକୁ ତଥ୍ୟଗତ ଭାବେ ଭୁଲ ବୋଲି ଦର୍ଶାଇ ସେଥିରେ ଥିବା ଦାବିକୁ ଖାରଜ କରିଦେଇଛି।

ବନ୍ଧନ ବ୍ୟାଙ୍କ ସେହି ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛି, ଯେଉଁଥିରେ ଦାବି କରାଯାଇଥିଲା ଯେ ଫାର୍ଷ୍ଟ ଆବୁଧାବି ବ୍ୟାଙ୍କ ଏହାକୁ କିଣିବା କିମ୍ୱା ଏଥିରେ ଅଂଶଧନ ହାସଲ କରିବା ନେଇ ସମ୍ଭାବନା ଖୋଜୁଛି। ବ୍ୟାଙ୍କ ସ୍ପଷ୍ଟ ଭାବେ କହିଛି ଯେ ସେ ଏପରି କୌଣସି ଆଲୋଚନାରେ ସାମିଲ ନାହିଁ। ଅର୍ଥାତ ବର୍ତ୍ତମାନ ପାଇଁ ବନ୍ଧନ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରକାର ବିକ୍ରି ବା ଅଧିଗ୍ରହଣକୁ ନେଇ ପୁଷ୍ଟି କରାଯାଇ ନାହିଁ।

ଏହା ପୂର୍ୱରୁ ଆସିଥିବା ରିପୋର୍ଟରେ ଦାବି କରାଯାଇଥିଲା ଯେ ଆବୁଧାବିର ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC) ଏବଂ ଫାର୍ଷ୍ଟ ଆବୁଧାବି ବ୍ୟାଙ୍କ, ବନ୍ଧନ ବ୍ୟାଙ୍କର ପ୍ରମୋଟର କମ୍ପାନୀ ‘ବନ୍ଧନ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ’ (BFSL)ରେ ରଣନୈତିକ ଅଂଶଧନ କିଣିବା ପାଇଁ ପ୍ରାଥମିକ ଆଲୋଚନା କରୁଛନ୍ତି।

ରିପୋର୍ଟ ଅନୁସାରେ, BFSL ରଣନୈତିକ ନିବେଶକମାନଙ୍କୁ ନିଜର ୨୫% ରୁ ୩୨% ପର୍ଯ୍ୟନ୍ତ ଅଂଶଧନ ବିକ୍ରି କରିବା ବିକଳ୍ପ ଉପରେ ବିଚାର କରୁଥିଲା। ଏହା ଦ୍ୱାରା କମ୍ପାନୀର କିଛି ପ୍ରାରମ୍ଭିକ ନିବେଶକଙ୍କୁ ନିଜ ଅଂଶଧନ ବିକ୍ରି କରି ବାହାରିବାର ସୁଯୋଗ ମିଳିପାରିଥାନ୍ତା। ତଥାପି, ବନ୍ଧନ ବ୍ୟାଙ୍କ ଏବେ ଏହି ସବୁ ଖବରରେ ନିଜର ସମ୍ପୃକ୍ତିକୁ ଅସୱୀକାର କରିଛି।

ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ଶେୟାର ବଜାରରେ ବନ୍ଧନ ବ୍ୟାଙ୍କର ଶେୟାର ମୂଲ୍ୟରେ ମଧ୍ୟ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ତଥ୍ୟ ଅନୁସାରେ, ବନ୍ଧନ ବ୍ୟାଙ୍କର ଶେୟାର ମୂଲ୍ୟ ବୃଦ୍ଧି ପାଇ ”୧୫୭.୪୫ ଟଙ୍କାରେ ପହଞ୍ଚିଥିଲା। ଏହା ପରେ NSEରେ ଅପରାହ୍ନ ୨:୪୫ ସୁଦ୍ଧା ଶେୟାର ପ୍ରାୟ ୧.୫% ବୃଦ୍ଧି ସହ ”୧୫୩.୧୫ ଟଙ୍କାରେ କାରବାର କରୁଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।