ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ….

Sep 22, 2026 - 20:22
ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ….

ଭୁବନେଶ୍ବର : ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ତୃଟି ବିରୋଧରେ ଆରମ୍ଭ ହେଲା ଜନଆନ୍ଦୋଳନ । ତୃଟିପୂର୍ଣ୍ଣ ପୁସ୍ତକ ପ୍ରିଣ୍ଟିଂ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଶାଣିତ କରି ଆଜି ରାତିର ଡେଡଲାଇନ ଦେଇଛି ବିଜେଡି । ନ ହେଲେ ଦଳୀୟ ବିଧାୟକ, ସାଂସଦଙ୍କୁ ନେଇ ଯୁବ ଓ ଛାତ୍ର ବିଜେଡି ଆସନ୍ତାକାଲି ବିଧାନସଭା ଘେରାଉ କରିବ । କାରଣ ଦିନ ଗଡ଼ି ଚାଲୁଛି । ହେଲେ ସଂଶୋଧିତ ପୁସ୍ତିକା ମିଳିବାରେ ମନ୍ଥର ଗତି ଅବଲମ୍ବନ କରୁଛନ୍ତି ସରକାର । ବିଜେଡିର ଆନ୍ଦୋଳନ ପରେ ଧୀରେ ଧୀରେ କିଛି ଜିଲ୍ଲାକୁ ମିଳୁଛି ସଂଶୋଧିତ ପୁସ୍ତିକା । ହେଲେ ଆଉ କିଛି ଦିନ ପରେ ପିଲାମାନେ ସାରା ଓଡ଼ିଶା ଷାଣ୍ମାସିକ ପରୀକ୍ଷା ଦେବାକୁ ଯିବେ । ତା ପରେ ପୂଜା ଛୁଟି । ଏ ସମୟରେ ପିଲାଙ୍କ ହାତରେ ପ୍ରଶ୍ନପତ୍ର ରହିବା କଥା । ହେଲେ ସମସ୍ତେ ବହି ପାଇଲେ ନାହିଁ । ଏହା ବିରୋଧରେ ପୁଣି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ । ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା କ୍ଷଣି ବିଜେଡି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଗୃହ ବାହାରେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ସହ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ଯୁବ ଓ ଛାତ୍ର ବିଜେଡି । ଆଜି ପରି ଆସନ୍ତାକାଲି ବି ବିଧାୟକ, ସାଂସଦଙ୍କ ସମେତ ବୁଦ୍ଧିଜୀବୀମାନେ ବି ଏହି ଆନ୍ଦୋଳନରେ ସାମିଲ ହେବେ ।

ବହି ତ୍ରୁଟି ବିରୋଧରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଥମ ଦିନରୁ ମୁହଁ ଖୋଲିଛନ୍ତି । ତାଙ୍କ ନିର୍ଦ୍ଦେଶରେ ପ୍ରତି ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡି ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରିଥିଲେ । ସେ ସମୟ ପରି ଏଥର ବି ଆନ୍ଦୋଳନରେ ଅଭିଭାବକ, ପିଲା, ବୁଦ୍ଧିଜୀବି ବି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ପଙ୍ଗୁ କରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ଏହା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ବୋଲି ବିଜେଡି ଅଭିଯୋଗ କରିଛି । ଶିକ୍ଷା ଏକ ସୁସ୍ଥ ସମାଜ ଗଠନ କରେ । ହେଲେ ଶିକ୍ଷାକୁ ପଙ୍ଗୁ କଲେ ପୀଢ଼ି ପରେ ପୀଢ଼ି ଅନ୍ଧାରକୁ ଠେଲି ହୋଇଯିବ ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ପୁସ୍ତକ ତ୍ରୁଟିରେ ମୁଖ୍ୟମନ୍ତ୍ରୀ ଯେଉଁ ଷଡ଼ଯନ୍ତ୍ର କଥା କହିଥିଲେ, ହେଲେ ସେହି ଷଡ଼ଯନ୍ତ୍ରକାରୀଙ୍କ ନାଁ ଆଜି ଯାଏଁ ପ୍ରକାଶ କଲେନି. କଣ ସେ ଷଡଯନ୍ତ୍ରକାରୀଙ୍କ ନାଁ ଏହି ବିଧାନସଭାରେ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରିବେ, ତାହାକୁ ନେଇ ପ୍ରଶ୍ନ ଜୋର ଧରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।