ବିଜୟ ଯେଉଁଠି, ତ୍ରିଷା ସେଇଠି: ହାଇପ୍ରୋଫାଇଲ ବିବାହ ରିସେପ୍ସନରେ ଚର୍ଚ୍ଚାରେ ଷ୍ଟାର ଯୋଡ଼ି

Nov 06, 2026 - 09:37
ବିଜୟ ଯେଉଁଠି, ତ୍ରିଷା ସେଇଠି: ହାଇପ୍ରୋଫାଇଲ ବିବାହ ରିସେପ୍ସନରେ ଚର୍ଚ୍ଚାରେ ଷ୍ଟାର ଯୋଡ଼ି

ଚେନ୍ନାଇ,୬।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ ଏବଂ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ ହାଇପ୍ରୋଫାଇଲ ବିବାହ ରିସେପ୍ସନ୍‌ରେ ଉଭୟଙ୍କ ଉପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି। ସମାରୋହରୁ ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ବିଜୟ ଏବଂ ତ୍ରିଷା ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି।

ଚେନ୍ନାଇର ଦ ଲୀଲା ପ୍ୟାଲେସ୍‌ରେ ଏହି ଭବ୍ୟ ବିବାହ ରିସେପ୍ସନ ଆୟୋଜିତ ହୋଇଥିଲା। ଏହା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର୍‌ କଂଗ୍ରେସ ପାର୍ଟି ମୁଖ୍ୟ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ସମ୍ପର୍କୀୟ ଭାଇ ତଥା ରାଜନେତା ୱାଇଏସ ଅନିଲ ରେଡ୍ଡୀଙ୍କ ଝିଅଙ୍କ ବିବାହ ଉତ୍ସବ ଥିଲା। ଏହି କାର୍ଯ୍ୟକ୍ରମରେ ବିଜୟ ଓ ତ୍ରିଷା ଏକାଠି ପହଞ୍ଚି ନବଦମ୍ପତି ଶ୍ରେୟା ଓ ଉଜ୍ଜ୍ୱଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଉଭୟ ଏକାଠି ମଞ୍ଚକୁ ଯାଇ ବରକନ୍ୟାଙ୍କ ସହ ଫଟୋ ଉଠାଇଥିଲେ। ଏହି ଅବସରରେ ବିଜୟ ବ୍ରାଉନ ରଙ୍ଗର ସୁଟ ଓ ଧଳା ଶର୍ଟ ପିନ୍ଧିଥିବା ବେଳେ ତ୍ରିଷା ହାଲୁକା ଗୋଲାପୀ ରଙ୍ଗର ଶାଢ଼ିରେ ନଜର ଆସିଥିଲେ। ବିଜୟଙ୍କ ମାଆ ଶୋଭା ଚନ୍ଦ୍ରଶେଖର ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।

ଏହି ବିବାହ ଉତ୍ସବରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ମଧ୍ୟ ପତ୍ନୀ ୱାଇଏସ ଭାରତୀଙ୍କ ସହ ପହଞ୍ଚିଥିଲେ। ସେଠାରେ ବିଜୟ ଓ ଜଗନ ମୋହନ ରେଡ୍ଡୀ ପରସ୍ପର ସହ କଥାବାର୍ତ୍ତା କରିବା ସହ ଫଟୋ ଉଠାଇଥିଲେ। ଜଗନ ଓ ଭାରତୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ସମାରୋହରେ ଦେଶର ପ୍ରମୁଖ ଶିଳ୍ପପତି ଗୌତମ ଆଦାନୀ ଏବଂ ବିଆରଏସ୍‌ର କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ମଧ୍ୟ ପତ୍ନୀ ଶୈଳିମାଙ୍କ ସହ ଯୋଗ ଦେଇଥିଲେ। ରାଜନୀତି, ବ୍ୟବସାୟ ଓ ସିନେମା ଜଗତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏହି ଉତ୍ସବରେ ସାମିଲ ହୋଇଥିଲେ।

ତାମିଲ ସିନେମାର ଲୋକପ୍ରିୟ ଯୋଡ଼ି ଭାବେ ବିଜୟ ଓ ତ୍ରିଷାଙ୍କୁ ଜଣାଯାଏ। ‘ଲିଓ’ ସମେତ ଅନେକ ଫିଲ୍ମରେ ଉଭୟ ଏକାଠି କାମ କରିଛନ୍ତି। ପରଦା ଉପରେ ସେମାନଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରୁଥିବା ବେଳେ ସାର୍ବଜନୀନ କାର୍ଯ୍ୟକ୍ରମରେ ଏକାଠି ନଜର ଆସିବା ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଥାଏ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଚେନ୍ନାଇରେ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ କଳପତି ଏସ. ସୁରେଶଙ୍କ ପୁଅଙ୍କ ବିବାହ ରିସେପ୍ସନ୍‌ରେ ମଧ୍ୟ ଉଭୟ ଏକାଠି ନଜର ଆସିଥିଲେ। ସେତେବେଳେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।

ମେ’ ମାସରେ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ବିଶେଷ ଅବସରରେ ତ୍ରିଷା ମଧ୍ୟ ବିଜୟଙ୍କ ପରିବାର ସହ ଉପସ୍ଥିତ ଥିଲେ। ପରେ ସେପ୍ଟେମ୍ବର ମାସରେ ବ୍ରିଟେନର ସିଲଭରଷ୍ଟୋନ ସର୍କିଟରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେଠାରେ ଅଭିନେତା ଅଜିତ କୁମାର ମିସେଲିନ ଲେ ମାନ୍ସ କପ ପ୍ରତିଯୋଗିତାରେ ଭାଗ ନେଉଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।