ବିଜୟା ଦଶମୀ ଅବସରରେ ଶ୍ରୀଜୀଉଙ୍କ ସୁନାବେଶ

Oct 21, 2026 - 15:47
ବିଜୟା ଦଶମୀ ଅବସରରେ ଶ୍ରୀଜୀଉଙ୍କ ସୁନାବେଶ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରରେ ପବିତ୍ର ଦଶହରା ବା ବିଜୟା ଦଶମୀ ଅବସରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନ ଲାଗି, ନୂଆଲୁଗା ଲାଗି କରାଯାଇ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ସୁନାବେଶରେ ଭୂଷିତ ହୋଇଥିଲେ।

ଏଥି ସହ ଆଜି ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜା ନୀତି ସମ୍ପର୍ଣ୍ଣ କରାଯାଇଥିଲା। ସକାଳ ଧୂପ ସରିବା ପରେ ଆୟୁଧ ମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବା ସହ ମେକାପ ସେବାୟତ ତିନୋଟି ରୂପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ବଡ଼ଦେଉଳକୁ ତିନିଥର ପରିକ୍ରମା କରିବା ପରେ ପୁଷ୍ପାଳକ ସେବକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିଥିଲେ।

ସେହିପରି ଆଜି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।