ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

Sep 16, 2026 - 07:21
ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ ସଂଗ୍ରହ ହେଉଛି। ଫଳରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ହାର ୨୩ହଜାର ୬୫୦ କୋଟି ଟପିଛି। ଗୋଟିଏ ପଟେ ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ସରକାରୀ ଉଦ୍ୟମ ଜୋରଦାର ହେଉଛି। ଏହାକୁ ନେଇ ବିସ୍ତୃତ ଖସଡ଼ା ପ୍ରସ୍ତୁତ ହେବା ସହିତ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍‌ ଦିନରାତି ଏକ କରି ଦେଉଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ୨୦୨୫-୨୬ ବର୍ଷ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ବିତ୍ତୀୟ ନିଅଣ୍ଟିଆ ସ୍ଥିତିରେ ଏକପ୍ରକାର ନକାରାତ୍ମକ ସ୍ଥିତି ଉପୁଜିଛି। ତେବେ ୨୦୨୪-୨୫ ଆର୍ଥିକବର୍ଷରେ ବିତ୍ତୀୟ ନିଅଣ୍ଟିଆ ହାର ୨୫,୦୪୨ କୋଟି ଟଙ୍କା ରହିଥିବାବେଳେ ଏହା ତୁଳନାରେ ଗତବର୍ଷ ସାମାନ୍ୟ କମ୍‌ ରହିଛି ବୋଲି ନିକଟରେ ରାଜ୍ୟ ପ୍ରମୁଖ ମହାଲେଖାକାର(ପିଏଜି) ପକ୍ଷରୁ ଅର୍ଥ ବିଭାଗକୁ ପ୍ରଦତ୍ତ ରିପୋର୍ଟରୁ ଜଣାଯାଇଛି।
ପିଏଜିଙ୍କ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକବର୍ଷରେ ବଜେଟ ଲକ୍ଷ୍ୟ ତୁଳନାରେ ରାଜସ୍ବ ଆଦାୟ କମ୍‌ ରହିଥିବାବେଳେ ରାଜସ୍ବ ବ୍ୟୟ ଉଲ୍ଲେଖନୀୟ ହୋଇଛି। ହିସାବ ଅନୁଯାୟୀ, ୨୦୨୫-୨୬ରେ ରାଜସ୍ବ ଆଦାୟ ପାଇଁ ୨,୩୨,୦୦୦ କୋଟି ଟଙ୍କାର ବଜେଟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ବାସ୍ତବରେ ୧,୯୬,୧୯୦.୮୩ କୋଟି ଟଙ୍କା ଆଦାୟ ହୋଇଛି। ଅର୍ଥାତ୍‌ ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୮୫% ଅର୍ଥ ଆଦାୟ ହୋଇପାରିଥିଲା। ଅନ୍ୟପକ୍ଷରେ ୨୦୨୪-୨୫ରେ ରାଜସ୍ବ ଆଦାୟ ୧,୮୩,୯୬୩ କୋଟି ଟଙ୍କା ରହିଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟର ବ୍ୟୟ ମଧ୍ୟ ବଢ଼ିଛି, ୨୦୨୫-୨୬ରେ ରାଜସ୍ବ ବ୍ୟୟ ପାଇଁ ୨,୦୦,୨୦୦ କୋଟି ବଜେଟ ବ୍ୟବସ୍ଥା ହୋଇଥିଲା। ଏଥିମଧ୍ୟରୁ ବାସ୍ତବ ବ୍ୟୟ ୧,୭୪,୪୦୫.୧୪ କୋଟି ଟଙ୍କା ହୋଇଛି, ଯାହା ବଜେଟର ପ୍ରାୟ ୮୭ ପ୍ରତିଶତ। ଏହି ଅବଧି ମଧ୍ୟରେ ୨୦୨୪-୨୫ରେ ରାଜସ୍ବ ବ୍ୟୟ ୧,୬୧,୩୧୨ କୋଟି ଟଙ୍କା ହୋଇଥିଲା। ତେବେ ଗତ ଏକବର୍ଷରେ ରାଜସ୍ବ ବ୍ୟୟ ପ୍ରାୟ ୧୩,୦୯୩ କୋଟି ଟଙ୍କା ବଢ଼ିଛି।
ରାଜସ୍ବ ଆଦାୟ ଓ ରାଜସ୍ବ ବ୍ୟୟର ହିସାବରେ ୨୦୨୫-୨୬ରେ ରାଜ୍ୟର ରାଜସ୍ବ ବଳକା ୨୧,୭୮୫.୬୯ କୋଟି ରହିଛି।
ଅନ୍ୟପକ୍ଷରେ ରାଜ୍ୟ ସରକାର ୨୦୨୫-୨୬ରେ ପୁଞ୍ଜି ବ୍ୟୟ ବାବଦରେ ୪୨,୩୯୮.୩୫ କୋଟି ଖର୍ଚ୍ଚ କରିଛନ୍ତି। ଏହା ସହିତ ସରକାରଙ୍କ ପକ୍ଷରୁ ଅନ୍ୟମାନଙ୍କୁ ଦିଆଯାଇଥିବା ଋଣ ଓ ଅଗ୍ରିମର ପରିମାଣ ମଧ୍ୟ ହିସାବରେ ରହିଛି। ବର୍ଷକାଳରେ ସରକାରଙ୍କ ଆଭ୍ୟନ୍ତରୀଣ ଋଣ ଓ କେନ୍ଦ୍ର ସରକାରଙ୍କଠାରୁ ଋଣ ପ୍ରଭୃତିକୁ ମିଶାଇ ୨୭,୬୭୩.୦୪ କୋଟି ଟଙ୍କା ଋଣ ଗ୍ରହଣ କରାଯାଇଛି। ସେହି ସମୟରେ ୧୬,୮୪୩.୪୯ କୋଟି ଋଣ ପରିଶୋଧ ହୋଇଛି। ଫଳରେ ନେଟ୍‌ ସାର୍ବଜନୀନ ଋଣ ୧୦,୮୨୯.୫୫ କୋଟି ବଢ଼ିଛି।
ସେହିପରି, ସରକାର ଏହି ଅବଧି ମଧ୍ୟରେ ୩,୮୫୪.୯୭ କୋଟି ଋଣ ଓ ଅଗ୍ରିମ ଦେଇଥିବାବେଳେ ୮୧୬.୭୪ କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି। ଏହାର ନେଟ୍‌ ପ୍ରଭାବ ମଧ୍ୟ ରାଜ୍ୟର ଆର୍ଥିକ ନିଅଣ୍ଟ ହିସାବରେ ପଡ଼ିଛି।
ମୋଟାମୋଟି ଭାବେ ରାଜସ୍ବ ବଳକା ଥିବା ସତ୍ତ୍ୱେ ପୁଞ୍ଜି ବ୍ୟୟ ଓ ନେଟ୍‌ ଋଣ-ଅଗ୍ରିମ ଯୋଗୁ ରାଜ୍ୟର ଆର୍ଥିକ ନିଅଣ୍ଟ ୨୩,୬୫୦.୮୯ କୋଟିରେ ପହଞ୍ଚିଛି। ଯଦି ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ବଜେଟ ଅର୍ଥକୁ କାର୍ଯ୍ୟକ୍ରମ ବାବଦରେ ଅର୍ଥାତ୍‌ ଭିତ୍ତିଭୂମି ସୁଦୃଢ଼ ଦିଗରେ ଖର୍ଚ୍ଚ ନ କରନ୍ତି ତେବେ ଆଗାମୀ ଦିନରେ ବିତ୍ତୀୟ ନିଅଣ୍ଟିଆ ସ୍ଥିତି ବଢ଼ିପାରେ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକବର୍ଷରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ୨୧ହଜାର ୧୧କୋଟି ଟଙ୍କାର ଅନୁଦାନ ପାଇଥିବାବେଳେ ୨୦୨୪-୨୫ରେ ଏହା ୧୭ହଜାର ୯୫୫କୋଟି ଟଙ୍କାକୁ ହ୍ରାସ୍‌ ପାଇଥିଲା। ସେହିପରି ୨୦୨୫-୨୬ ଆର୍ଥିକବର୍ଷରେ ଏହି ପରିମାଣ ହ୍ରାସ ପାଇ ୧୬ ହଜାର ୪୨ କୋଟି ଟଙ୍କାରେ ପହଞ୍ଚିଛି। ବିତ୍ତୀୟ ନିଅଣ୍ଟିଆ ପାଇଁ ଅନୁଦାନ ମଧ୍ୟ ଏକ ବଡ଼ ଭୂମିକା ରଖୁଛି ବୋଲି ଅଧିକାରୀ ଜଣକ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।