ବିଦେଶୀ ପ୍ରଶିକ୍ଷକ ଖୋଜୁଛି ସିଏସ୍‌କେ

Aug 12, 2026 - 13:30

ଚେନ୍ନଇ : ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଷ୍ଟିଫେନ୍‌ ଫ୍ଲେମିଂ ୨୦୦୯ରୁ ୨୦୨୬ ପର୍ଯ୍ୟନ୍ତ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ମୁଖ୍ୟ ପ୍ରଶିକ୍ଷକ ଥିଲେ। ହେଲେ ଫ୍ଲେମିଂ ନିକଟରେ ଇଂଲଣ୍ଡ ଟେଷ୍ଟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିବାରୁ ସିଏସ୍‌କେ ସହ ତାଙ୍କର ୧୮ ବର୍ଷର ସମ୍ପର୍କ ତୁଟିଯାଇଛି। ଦଳକୁ ୫ ଥର ଆଇପିଏଲ୍‌ ଜିତାଇଥିବା ଫ୍ଲେମିଂଙ୍କ ସ୍ଥାନରେ ନୂଆ ପ୍ରଶିକ୍ଷକ ଖୋଜୁଛି ସିଏସ୍‌କେ। ଏହାର ସିଇଓ କାଶୀ ବିଶ୍ବନାଥ କହିଛନ୍ତି ଯେ ଜଣେ ବିଦେଶୀ ବିଶେଷଜ୍ଞଙ୍କୁ ନୂଆ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେବାକୁ ଫ୍ରାଞ୍ଚାଇଜି ଚାହୁଁଛି। ବିଶ୍ବନାଥଙ୍କ କହିବା ଅନୁସାରେ, ସେ ଓ ସିଏସ୍‌କେର ପୂର୍ଣ୍ଣକାଳୀନ ନିର୍ଦେଶିକା ରୁପା ଗୁରୁନାଥ ନୂତନ ମୁଖ୍ୟ ପ୍ରଶିକ୍ଷକ ନେଇ ନିଷ୍ପତ୍ତି ନେବେ। ଅବଶ୍ୟ ଅଧିନାୟକ ଋତୁରାଜ ଗାଏକ୍‌ୱାଡ ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପରାମର୍ଶ ନିଆଯିବ। ଭବିଷ୍ୟତରେ ସିଏସ୍‌କେ ପାଇଁ ଖେଳାଳିଙ୍କ ସହ ଚୁକ୍ତିର ସମସ୍ତ ନିଷ୍ପତ୍ତି ନୂତନ ମୁଖ୍ୟ ପ୍ରଶିକ୍ଷକ ନେବେ। ପୁଣି କିଛି ଆଗ୍ରହୀ ବ୍ୟକ୍ତି ସିଏସ୍‌କେର ପ୍ରଶିକ୍ଷକ ହେବାକୁ ଫୋନ୍‌ କରିଛନ୍ତି ବୋଲି କାଶୀ ବିଶ୍ବନାଥ କହିଛନ୍ତି। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇଂଲଣ୍ଡର ସୀମିତ ଓଭର ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍‌ ମ୍ୟାକ୍‌କଲମ ସିଏସ୍‌କେର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି। ପୂର୍ବରୁ ମ୍ୟାକ୍‌କଲମ୍ ସିଏସ୍‌କେ ସହ ୫ଟି ଆଇପିଏଲ୍‌ ଦଳ ପାଇଁ ଖେଳି କେକେଆର୍‌ର ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ଥିଲେ। ପୁଣି ସିଏସ୍‌କେ ପାଇଁ ଖେଳିଥିବା ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍‌ସମ୍ୟାନ ମାଇକେଲ୍‌ ହସି ଓ ସିଏସ୍‌କେ ପାଇଁ ଖେଳିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଆଲ୍‌ବି ମର୍କେଲ ମଧ୍ୟ ସିଏସ୍‌କେର ମୁଖ୍ୟ ପ୍ରଶିକ୍ଷକ ହେବା ଦୌଡ଼ରେ ଅଛନ୍ତି। ମର୍କେଲ ଏସ୍‌ଏ୨୦ରେ ଜୋବର୍ଗ ସୁପର କିଙ୍ଗ୍‌ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।