ବିଦ୍ୟୁତ ଫାଶ ବିଛାଇ ଶିକାର ଉଦ୍ୟମବେଳେ ମାଡ଼ିବସିଲା ବନ ବିଭାଗ: ୫ଜଣ ବନ୍ଧାହେଲେ

Oct 16, 2026 - 08:13
ବିଦ୍ୟୁତ ଫାଶ ବିଛାଇ ଶିକାର ଉଦ୍ୟମବେଳେ ମାଡ଼ିବସିଲା ବନ ବିଭାଗ: ୫ଜଣ ବନ୍ଧାହେଲେ

ଦାରିଙ୍ଗବାଡ଼ି,୧୬।୧୦ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ବାଡ଼ାବାଙ୍ଗା ପଞ୍ଚାୟତର ସିକାକେତା ଫରେଷ୍ଟ ବିଟ ଅଞ୍ଚଳରେ ବିଦ୍ୟୁତ ଫାଶ ବିଛାଇ ବନ୍ୟପ୍ରାଣୀ ଶିକାର ପାଇଁ ଉଦ୍ୟମ କରୁଥିବାବେଳେ ବନ ବିଭାଗ ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କଠାରୁ ୪ଟି ବାଇକ, ୫ଟି ମୋବାଇଲ ଫୋନ, ତାର ଓ ବାଉଁଶ କିଳା ଆଦି ସାମଗ୍ରୀ ଜବତ କରାଯାଇଛି।

ଗିରଫ ବ୍ୟକ୍ତିମାନେ ହେଲେ ଭରତ ନାୟକ, ଅଶେଷ ପ୍ରଧାନ, ଜିତେନ୍ଦ୍ର ନାୟକ, ରାଜେଶ ମଲ୍ଲିକ ଓ ଅଶ୍ୟ ପ୍ରଧାନ। ସେମାନେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରାଯାଉଥିବା ବେଳେ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ସିକାକେତା ଫରେଷ୍ଟ ବିଟ ଅଞ୍ଚଳରେ ବିଦ୍ୟୁତ୍ ଫାଶ ଲଗାଇ ବନ୍ୟପ୍ରାଣୀ ଶିକାର କରାଯାଉଥିବା ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଥିଲା। ଏହି ଘଟଣାରେ ସମ୍ପୃକ୍ତ ଶିକାରୀଙ୍କୁ ଧରିବା ପାଇଁ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଗତ କିଛିଦିନ ଧରି ଜଙ୍ଗଲରେ ପାଦଚଲା ପାଟ୍ରୋଲିଂକୁ ଜୋରଦାର କରିଥିଲେ।

ଏହି ସମୟରେ ଉକ୍ତ ଅଞ୍ଚଳରେ ବିଦ୍ୟୁତ ଫାଶ ବିଛାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଏସିଏଫ ଅରୁଣ ସାହୁଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ ଚଢ଼ାଉ କରିଥିଲା। ଏଥିରେ ବନାଞ୍ଚଳ ଅଧିକାରୀ ପଣ୍ଡା, ବନପାଳ ବନିତା ପ୍ରଧାନ, ବନରକ୍ଷୀ ସଞ୍ଜୀବ ବେହେରା ଓ କୁମୁଦ ବେହେରାଙ୍କ ସମେତ ସ୍କୱାଡ୍ର ବନମାଳୀ ଗୌଡ଼, ଶିବପ୍ରସାଦ ସାହୁ, ମାଧବ ପ୍ରଧାନ ଓ ସପନ ନାୟକ ସାମିଲ ଥିଲେ।

ବନ ବିଭାଗର ଏହି ଟିମ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ଫାଶ ବିଛାଉଥିବା ଅଭିଯୋଗରେ ୫ ଜଣଙ୍କୁ କାବୁ କରିଥିଲା। ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଜଙ୍ଗଲରେ ବିଦ୍ୟୁତ ଫାଶ ବ୍ୟବହାର କରି ବନ୍ୟପ୍ରାଣୀ ଶିକାର ରୋକିବା ପାଇଁ ବନ ବିଭାଗର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।