ବିନା ଛକାରେ ୧୬୭ ରନ୍ର ବିସ୍ଫୋରକ ଇନିଂସ ଖେଳିଲେ ଏହି ବ୍ୟାଟ୍ର୍: ହାସଲ କଲେ ବିରଳ ରେକର୍ଡ
ଲାହୋର,୩୦।୧୦: ଇଂଲଣ୍ଡର ଷ୍ଟାର୍ ଓପନର୍ ବେନ ଡକେଟଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଦମ୍ଦାର ଇନିଂସ। ପାକିସ୍ତାନ ଆୟୋଜିତ ଦିନିକିଆ ଟ୍ରାଇ ସିରିଜ୍ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍ରେ ଡକେଟ ୧୬୭ ରନ୍ର ଚମତ୍କାର ପାଳି ଖେଳିଛନ୍ତି। ଖାସ କଥା ହେଉଛି, ଏହି ଇନିଂସ୍ରେ ସେ ଗୋଟିଏ ବି ଛକା ମାରିନାହାନ୍ତି। ଏହା ସହ ସେ ଏକ ବିଶେଷ ରେକର୍ଡ କ୍ଲବ୍ରେ ସାମିଲ ହୋଇଛନ୍ତି, ଯେଉଁଥିରେ କ୍ରିକେଟ୍ର ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ନାଁ ମଧ୍ୟ ରହିଛି।
ଲାହୋରର ଗଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଇଂଲଣ୍ଡ ପକ୍ଷରୁ ଓପନର୍ ବେନ ଡକେଟ ଦମ୍ଦାର ବ୍ୟାଟିଂ କରିଥିଲେ। ସେ ୧୩୨ଟି ବଲ୍ର ସାମ୍ନା କରି ୨୪ଟି ଚୌକା ସହ ୧୬୭ ରନ ସଂଗ୍ରହ କରିଥିଲେ। ଏହି ପାଳିରେ ଡକେଟ ଗୋଟିଏ ବି ଛକା ମାରି ନ ଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର। ତାଙ୍କ ଦମ୍ଦାର ଇନିଂସ ବଳରେ ଇଂଲଣ୍ଡ ୫୦ ଓଭରରେ ୫ ଉଇକେଟ ହରାଇ ୩୮୬ ରନ୍ର ବିଶାଳ ସ୍କୋର କରିଥିଲା।
ଏହି ପ୍ରଦର୍ଶନ ସହ ଡକେଟ ଦିନିକିଆ କ୍ରିକେଟ ଇତିହାସରେ ଏପରି ସପ୍ତମ ଖେଳାଳି ହୋଇଛନ୍ତି, ଯିଏ ବିନା ଛକାରେ ୧୫୦ କିମ୍ବା ତା’ଠାରୁ ଅଧିକ ରନ କରିବାରେ ସଫଳ ହୋଇଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ସର୍ବାଗ୍ରେ ରହିଛନ୍ତି। ୨୦୧୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ବିନା ଛକାରେ ୧୭୩ ରନ କରିଥିଲେ।
ଦିନିକିଆରେ ବିନା ଛକାରେ ୧୫୦ କିମ୍ବା ତା’ଠାରୁ ଅଧିକ ରନ କରିଥିବା ଖେଳାଳିଙ୍କ ତାଲିକା:
୧. ଡେଭିଡ ୱାର୍ନର (ଅଷ୍ଟ୍ରେଲିଆ) ୧୭୩ ରନ, ଦକ୍ଷିଣ ଆଫ୍ରିକା ବିପକ୍ଷ, ୨୦୧୬।
୨. ବେନ ଡକେଟ (ଇଂଲଣ୍ଡ) ୧୬୭ ରନ, ଶ୍ରୀଲଙ୍କା ବିପକ୍ଷ, ୨୦୨୬।
୩. ତିଲକରତ୍ନେ ଦିଲଶାନ (ଶ୍ରୀଲଙ୍କା) ୧୬୧ ରନ, ବାଂଲାଦେଶ ବିପକ୍ଷ, ୨୦୧୫।
୪. ହାସିମ ଆମଲା (ଦକ୍ଷିଣ ଆଫ୍ରିକା) ୧୫୩ ରନ, ୱେଷ୍ଟଇଣ୍ଡିଜ ବିପକ୍ଷ, ୨୦୧୫।
୫. ବ୍ରାଏନ ଲାରା (ୱେଷ୍ଟଇଣ୍ଡିଜ) ୧୫୨ ରନ, ପାକିସ୍ତାନ ବିପକ୍ଷ, ୧୯୯୩।
୬. ସଚିନ ତେନ୍ଦୁଲକର (ଭାରତ) ୧୫୨ ରନ, ନାମିବିଆ ବିପକ୍ଷ, ୨୦୦୩।
୭. ଆଣ୍ଡ୍ର୍ୟୁ ଷ୍ଟ୍ରାସ (ଇଂଲଣ୍ଡ) ୧୫୨ ରନ, ବାଂଲାଦେଶ ବିପକ୍ଷ, ୨୦୦୫।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।