ବିରାଟ-ରୋହିତଙ୍କୁ ପଛରେ ପକାଇଲେ ବୁମ୍ରା, ନିଜ ନାଁରେ କଲେ ଏହି ବଡ଼ ରେକର୍ଡ
ନୂଆଦିଲ୍ଲୀ, ୧।୧୦: ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟରେ ଭାରତ ଦମଦାର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ପକ୍ଷରୁ ଦିଆଯାଇଥିବା ୧୭୦ ରନର ଲକ୍ଷ୍ୟର ଜବାବରେ ଶ୍ରୀଲଙ୍କା ମାତ୍ର ୯.୫ ଓଭରରେ ୪୫ ରନ୍ରେ ଅଲଆଉଟ ହୋଇଯାଇଥିଲା।
ଏହି ବିଜୟ ସହ ଭାରତ ଏବେ ଗୋଲ୍ଡ ମେଡାଲ ମ୍ୟାଚରେ ପ୍ରବେଶ କରିଛି। ଅକ୍ଟୋବର ୩ରେ ଫାଇନାଲରେ ଭାରତର ମୁକାବିଲା ପାକିସ୍ତାନ ସହ ହେବ। ଅନ୍ୟ ସେମିଫାଇନାଲରେ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି।
ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲରେ ପ୍ଲେଇଂ ଇଲେଭେନରେ ସାମିଲ ହେବା ସହ ଭାରତୀୟ ଷ୍ଟାର୍ ଫାଷ୍ଟ ବୋଲର୍ ଜସପ୍ରୀତ ବୁମ୍ରା ଟି-୨୦ ଇଣ୍ଟରନ୍ୟାସନାଲରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଭାରତ ପାଇଁ ସବୁଠାରୁ ଅଧିକ ଦେଶରେ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି।
ଜାପାନରେ ଖେଳିବା ପୂର୍ବରୁ ବମ୍ରା, ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୟୁଏଇ, ଆମେରିକା, ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେରେ ଟି-୨୦ ଇଣ୍ଟରନ୍ୟାସନାଲ ଖେଳିଥିଲେ। ଜାପାନରେ ମ୍ୟାଚ ଖେଳିବା ପରେ ତାଙ୍କର ଏହି ସଂଖ୍ୟା ୧୩ରେ ପହଞ୍ଚିଛି।
ଏହି ମାମଲାରେ ବୁମ୍ରା ବିରାଟ କୋହଲି, ରୋହିତ ଶର୍ମା ଏବଂ ଭୁବନେଶ୍ୱର କୁମାରଙ୍କୁ ପଛରେ ପକାଇଛନ୍ତି। ଏହି ତିନି ଭାରତୀୟ ଖେଳାଳି ୧୨ଟି ଭିନ୍ନ ଦେଶରେ ଟି-୨୦ ଇଣ୍ଟରନ୍ୟାଶନାଲ ମ୍ୟାଚ ଖେଳିଛନ୍ତି।
ଭାରତ ପାଇଁ ସବୁଠାରୁ ଅଧିକ ଦେଶରେ T20I ଖେଳିଥିବା ଖେଳାଳି:
୧୩ ଦେଶ: ଜସପ୍ରୀତ ବୁମ୍ରା
୧୨ ଦେଶ: ବିରାଟ କୋହଲି
୧୨ ଦେଶ: ରୋହିତ ଶର୍ମା
୧୨ ଦେଶ: ଭୁବନେଶ୍ୱର କୁମାର
ପ୍ରଥମ ଓଭରରେ ହିଁ ୨ ଉଇକେଟ୍
ଶ୍ରୀଲଙ୍କା ବିପକ୍ଷରେ ବୁମ୍ରା ବଲରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜର ପ୍ରଥମ ଓଭରରେ ସେ ଦୁଇଟି ଉଇକେଟ୍ ହାସଲ କରିଥିଲେ। ମୋଟ ୨ ଓଭର ବୋଲିଂ କରି ବମ୍ରା ମାତ୍ର ୭ ରନ ଦେଇ ୨ଟି ଉଇକେଟ୍ ନେଇଥିଲେ। ସିନେଥ ଜୟବର୍ଦ୍ଧନା ଏବଂ ସୋହନ ଡି ଲିଭେରା ତାଙ୍କ ଶିକାର ହୋଇଥିଲେ। ଉଭୟ ବ୍ୟାଟର୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।