ବିରିବାଟି-କନ୍ଦରପୁର ରାସ୍ତାରେ ଦିନକୁ ଦିନ ବଢୁଛି ଦୁର୍ଘଟଣା: ରାଜ୍ୟ ମାନବାଧିକାର କମିଶନରେ ମାମଲା

Oct 22, 2026 - 11:23
ବିରିବାଟି-କନ୍ଦରପୁର ରାସ୍ତାରେ ଦିନକୁ ଦିନ ବଢୁଛି ଦୁର୍ଘଟଣା: ରାଜ୍ୟ ମାନବାଧିକାର କମିଶନରେ ମାମଲା

କଟକ ସଦର,୨୨ା୧୦(ସୁଶାନ୍ତ କୁମାର ଜେନା): ଜାତୀୟ ରାଜପଥ ନଂ ୫୫ର ବିରିବାଟି -କନ୍ଦରପୁର ମଧ୍ୟରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପାରାଦୀପ ବନ୍ଦର ଅଭିମୁଖେ ଯାଉଥିବା ଶହଶହ ଟ୍ରକ୍‌, ବସ୍‌ ଦ୍ରୁତ ଚାଳନା ଯୋଗୁ ପ୍ରତ୍ୟେକ ଦିନ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ରତ୍ନାକର ବିଦ୍ୟାମନ୍ଦିର, ବରୁଣେଇ ବିଦ୍ୟାପୀଠ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରାସ୍ତା ପାର୍ଶ୍ୱରେ ରହିଥିବାରୁ ଛୋଟ ପିଲାମାନେ ଯାତାୟାତ କରିବାରେ ଭୟ କରୁଛନ୍ତି। ଯୁବକମାନଙ୍କର ଦ୍ରୁତ ବାଇକ ଚାଳନା ମଧ୍ୟ ଅଭିଭାବକମାନଙ୍କର ଅନ୍ୟତମ ଚିନ୍ତାର କାରଣ ହୋଇଛି। ସକାଳ ଓ ସନ୍ଧ୍ୟାରେ ରାସ୍ତାପାର୍ଶ୍ୱରେ ହାଟର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ମହାନ୍ତି ସାହି ଗଡ଼ାଟି ତ୍ରିକୋଣ ଭୂମି ଅଞ୍ଚଳରେ ଗାଡ଼ି ଏପଟ ସେପଟ ହେବା ପାଇଁ ୧୫ ମିନିଟ୍‌ ଲାଗୁଛି। କନ୍ଦରପୁର ଓ ସିଆର୍‌ଆର୍‌ଆଇ ଥାନା ଅଧୀନରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ରହିଥିଲେ ସୁଦ୍ଧା ଦୁର୍ଘଟଣା ଓ ଦ୍ରୁତ ଗାଡ଼ିଚ ଚାଳନାକୁ ନିୟନ୍ତ୍ରଣ କରାଯାଇ ପାରୁ ନାହିଁ। ଏପରିକି ଗତି ନିୟନ୍ତ୍ରଣ କମାଇବା ପାଇଁ ହମ୍ପ୍ସ ନିର୍ମାଣ ନିମନ୍ତେ କଟକ ଜିଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଧେ ଅନୁମତି ଦେବା ପାଇଁ ରୋକ୍‌ଠୋକ୍‌ ମନା କରିଥିଲେ। ତେଣୁ ଭିଡ଼ ଓ ଦ୍ରୁତ ଗତି ରୋକିବା ପାଇଁ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ରୁଜୁ କରାଯାଇଛି। ଏହାର ଶୁଣାଣି ଆସନ୍ତା ଡିସେମ୍ବର ୨୨ରେ ହେବ। ଜାତୀୟ ରାଜପଥ ପ୍ରାଧିକରଣ ଓ କଟକ ଏସ୍‌ପିଙ୍କୁ ନୋଟିସ୍‌ କରାଯାଇଛି। ୧୬ ତାରିଖରେ ରତ୍ନାକର ବିଦ୍ୟାମନ୍ଦିର ସମ୍ମୁଖରେ ଏକ ଦ୍ରୁତଗାମୀ ବସ୍‌ ଏକ ସ୍କୁଟି ସହିତ ଧକ୍କା ହୋଇଥିଲା। ଏଥିରେ ସ୍କୁଟି ଚାଳକ ରଘୁନାଥପୁର ଗ୍ରାମର ଜୟନ୍ତ କୁମାର ଜେନାଙ୍କର ଡାହାଣ ଗୋଡ଼ କାଟିବାକୁ ପଡ଼ିଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।