ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

Sep 03, 2026 - 08:25
ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଥିବା ରିପୋର୍ଟ ଆସିଛି। ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଭାରତ ଏକ ବଡ଼ ODI ସିରିଜ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି।

ରିପୋର୍ଟ ଅନୁସାରେ, BCCI ଏନେଇ କ୍ରିକେଟ ସାଉଥ ଆଫ୍ରିକା ସହ ଆଲୋଚନା କରୁଛି। ବୋର୍ଡ ଚାହୁଁଛି ଯେ ୨୦୨୭ ODI ବିଶ୍ୱକପର ଠିକ ପୂର୍ବରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ୪ କିମ୍ବା ୬ ମ୍ୟାଚରେ ଏକ ODI ସିରିଜ ଖେଳୁ। ଏହି ସିରିଜ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ ୨୦୨୭ ବିଶ୍ୱକପର ଅଧିକାଂଶ ମ୍ୟାଚ ଦକ୍ଷିଣ ଆଫ୍ରିକାର ପରିବେଶରେ ଖେଳାଯିବ। ସେଠାକାର ଉଛାଳ ଭରା ପିଚ ଏବଂ ପରିସ୍ଥିତି ସହ ଅଭ୍ୟସ୍ତ ହେବା ପାଇଁ ଭାରତକୁ ଏହି ସିରିଜ ଭଲ ସୁଯୋଗ ଦେଇପାରେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ସିରିଜ ମାଧ୍ୟମରେ ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟକୁ ବିଶ୍ୱକପ ପୂର୍ବରୁ ନିଜର କମ୍ବିନେସନ ପରୀକ୍ଷା କରିବାର ସୁଯୋଗ ମିଳିବ। କେଉଁ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖାଯିବ ଏବଂ କେଉଁ ଖେଳାଳି କେଉଁ ଭୂମିକା ତୁଲାଇବେ, ତାହା ମଧ୍ୟ ସ୍ପଷ୍ଟ ହୋଇପାରେ।

ଭାରତ ଶେଷଥର ୨୦୨୪ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ସେହି ଗସ୍ତରେ ଦୁଇ ଦଳ ମଧ୍ୟରେ ୪ ମ୍ୟାଚରେ ଟି-୨୦ ସିରିଜ ଖେଳାଯାଇଥିଲା। ତେବେ ବର୍ତ୍ତମାନର Future Tours Programme (FTP)ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର କୌଣସି ମ୍ୟାଚ ନିର୍ଦ୍ଧାରିତ ନାହିଁ। ତେଣୁ ନୂଆ FTPରେ ଏହି ODI ସିରିଜକୁ ସାମିଲ କରାଯାଇପାରେ।

୨୦୨୭ ODI ବିଶ୍ୱକପ ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆ ମିଳିତ ଆୟୋଜନରେ ଖେଳାଯିବ। ଦୀର୍ଘ ୨୪ ବର୍ଷ ପରେ ଦକ୍ଷିଣ ଆଫ୍ରିକା ପୁଣିଥରେ ବିଶ୍ୱକପ ଆୟୋଜନ କରିବ। ଶେଷଥର ୨୦୦୩ରେ ଦକ୍ଷିଣ ଆଫ୍ରିକାରେ ODI ବିଶ୍ୱକପ ଖେଳାଯାଇଥିଲା।

୨୦୦୩ ବିଶ୍ୱକପରେ ଭାରତ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ଏହାପରେ ୨୦୨୩ ବିଶ୍ୱକପର ଫାଇନାଲରେ ମଧ୍ୟ ଭାରତକୁ ଅଷ୍ଟ୍ରେଲିଆ ହାତରୁ ହାରିବାକୁ ପଡ଼ିଥିଲା।

ଭାରତ ୨୦୧୧ ପରଠାରୁ ODI ବିଶ୍ୱକପ ଟ୍ରଫି ଜିତିପାରିନାହିଁ। ତେଣୁ ୨୦୨୭ରେ ଦଳ ଏହି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଟ୍ରଫି ହାସଲ କରିବାକୁ ଚାହିଁବ। ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଏହି ସମ୍ଭାବ୍ୟ ODI ସିରିଜ ଭାରତୀୟ ଦଳର ପ୍ରସ୍ତୁତିରେ ବଡ଼ ଭୂମିକା ନେଇପାରେ।

 

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।