ବୁର୍ଲା ସହର ପୁଣି ଅପରାଧ ପ୍ରବଣ ହୋଇ ଉଠିଛି
ବୁର୍ଲା : ବୁର୍ଲା ସହର ପୁଣି ଅପରାଧ ପ୍ରବଣ ହୋଇ ଉଠିଛି। ବୁର୍ଲା ଢିପା ପଡ଼ାରେ ଏକ ହତ୍ୟା ଘଟଣା ଚହଳ ପକାଇ ଦେଇଥିଲା। ପୁଣି ଜଣେ ଯୁବକକୁ ତଣ୍ଟି କାଟି ଏବଂ ଛାତିରେ ଛୁରୀ ଭୁସି ହତ୍ୟା କରିବା ପ୍ରୟାସ ଘଟଣା ଦେଖିବାକୁ ମିଳିଛି। ବିଜଳି ନଗର ଅଞ୍ଚଳରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଯୁବକ ଜଣକ ୱାନ୍ଆର୍ କଲୋନୀର ବବ୍ଲୁ ପଞ୍ଚବିହାର (୧୯)। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବୁର୍ଲା ଭୀମସାରର ଆଶୁଚିକିତ୍ସା ବିଭାଗରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଆସନ୍ତା କାଲି ଅସ୍ତ୍ରୋପଚାର ହେବ ବୋଲି ସୂଚନା ହସ୍ତଗତ ହୋଇଛି। ଘଟଣାରେ ସଂପୃକ୍ତି ସନ୍ଦେହରେ ଦୁଇ ଯୁବକଙ୍କୁ ପୁଲିସ ଅଟକ ରଖିଛି। ଗୁରୁତର ଯୁବକ ଢ଼ିପା ପଡାର ରୋହନ ମହାନନ୍ଦ ଏବଂ ଡେଭିଡ ସୁନା ନାମକ ଦୁଇଜଣ ଯୁବକ ତାଙ୍କୁ ଏଭଳି ଆକ୍ରମଣ କରିଥିବା ପୁଲିସକୁ ସୂଚନା ଦେଇଛି।
ସୂଚନା ଅନୁସାରେ,ସନ୍ଧ୍ୟାରେ ବବ୍ଲୁ ଢିପାପଡ଼ାରେ ରହୁଥିବା ତାଙ୍କ ଦୁଇ ଜଣ ସାଙ୍ଗ ଡେଭିଡ ଏବଂ ରୋହନଙ୍କ ସହ ବିଜଳି ନଗରକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ବଚସା ହେବା ପରେ ଦୁଇ ସାଙ୍ଗ ଡେଭିଡ ଏବଂ ରୋହନ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ବେକ କାଟିବା ସହିତ ଛାତିରେ ଦୁଇଗୋଟି ସ୍ଥାନରେ ମଧ୍ୟ ଗଭୀର ଆଘାତ ଲାଗି ଥିବାବେଳେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ଅଚେତ୍ ପଡ଼ିଯାଇଥିଲେ। ଆକ୍ରମଣକାରୀ ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ତେବେ ସ୍ଥାନୀୟ ଲୋକେ ଦେଖିବା ପରେ ସେ ନିଜ ମାଆଙ୍କ ମୋବାଇଲ ନମ୍ବର ଦେବା ପରେ ଖବର ଦିଆଯାଇଥିଲା। ଏହା ପରେ ସମ୍ପର୍କୀୟ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ବୁର୍ଲା ଭୀମସାରକୁ ନେଇଥିଲେ। ବୁର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବୁର୍ଲା ସହରରେ ବାରମ୍ବାର ଏଭଳି ଅଭାବନୀୟ ଘଟଣା ସହର ଅପରାଧ ପ୍ରବଣ ହୋଇ ଥିବା ନେଇ ସାଧାରଣରେ ଉଦ୍ବେଗ ସୃଷ୍ଟି କରିଛି। ସହରରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।